କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ । ଦୈନିକ ଖବର କାଗଜ ସମ୍ବାଦର ସମ୍ବଲପୁର ସଂସ୍କରଣର ମୁଖ୍ୟ ଦେବେନ୍ଦ୍ର ସାମନ୍ତରାୟ ଆଉ ନାହାନ୍ତି । କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘବର୍ଷ ଧରି ସେ ସମ୍ବାଦ ସହିତ ଯୋଡି ହୋଇ ରହିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଥିଲେ । ସମ୍ବଲପୁର ସଂସ୍କରଣର ଡିଜିଏମ ଭାବେ ଦାୟିତ୍ୱ ତୁଲାଉଥିଲେ । ଜଣେ ନିଷ୍ଠାପର, ନିରପେକ୍ଷ ସାମ୍ବାଦିକ ଭାବେ ତାଙ୍କର ଖ୍ୟାତି ରହିଥିଲା । ଦେବେନ୍ଦ୍ରଙ୍କ ଦେହାନ୍ତରେ ସମ୍ବାଦ ପରିବାର ସହ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ।
ସ୍ବର୍ଗତ ସାମନ୍ତରାୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମରେ । ୧୯୬୭ ଜୁନ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ଦେବେନ୍ଦ୍ର ହେଉଛନ୍ତି ରବୀନ୍ଦ୍ରନାଥ ଓ କିରଣବାଳାଙ୍କ ଏକମାତ୍ର ପୁଅ। ବନ୍ଧକାଟିଆ ଜୁବଲି ବିଦ୍ୟାପୀଠରୁ ୧୯୮୩ରେ ମାଟ୍ରିକ୍ ପାସ୍ କରିବା ପରେ ସେ ସାଲେପୁର କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରି ସାମ୍ବାଦିକତାକୁ ନିଜର ବୃତ୍ତିଭାବେ ଗ୍ରହଣ କରିଥିଲେ । ପ୍ରଥମେ ‘ପ୍ରଜାତନ୍ତ୍ର’ରୁ ଚାକିରି ଜୀବନ ଆରମ୍ଭ କରିଥିବା ଦେବେନ୍ଦ୍ର ବାବୁ ୨୦୦୦ ମସିହା ମେ ୨୯ ତାରିଖରେ ‘ସମ୍ବାଦ’ରେ ସହ-ସମ୍ପାଦକ ଭାବେ ଯୋଗ ଦେଇଥିଲେ ।
ଏହାପରେ ସେ ‘ସମ୍ବାଦ’ର ବିଭିନ୍ନ ସଂସ୍କରଣରେ କାର୍ଯ୍ୟ କରିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। ୨୦୦୧ ମସିହାରେ ସେ ସମ୍ବଲପୁର ସଂସ୍କରଣରେ କାର୍ଯ୍ୟ କରିଥିବାବେଳେ ୨୦୦୬ ମସିହାରେ ଅନୁଗୁଳ ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୦ରେ ସେ ଭୁବନେଶ୍ବର ବଦଳି ହୋଇ ଆସିଥିଲେ ଏବଂ ୨୦୧୮ ମସିହା ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବାର୍ତ୍ତା ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହାପରେ ସେ ଡିଜିଏମ୍(ବାର୍ତ୍ତା) ଭାବେ ପଦନ୍ନୋତି ପାଇ ସମ୍ବଲପୁର ସମ୍ବାଦ ସଂସ୍କରଣର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ ।
ଏପ୍ରିଲ ଦ୍ବିତୀୟ ସପ୍ତାହରେ ସମ୍ବଲପୁରରେ ଥିବା ସମୟରେ ତାଙ୍କୁ ହଠାତ୍ ଜ୍ବର ହେବା ଫଳରେ ସେ ଭୁବନେଶ୍ବର ରସୁଲଗଡସ୍ଥିତ ଘରକୁ ଚାଲି ଆସିଥିଲେ। ସେଠାରେ କୋଭିଡ୍ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ ୧୧ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ଯୋଗୁଁ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହେବା ଫଳରେ ଦିନକୁ ଦିନ ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର କମି ଚାଲିଥିଲା । ଫଳରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ଗତକାଲି ତାଙ୍କ ସ୍ବାସ୍ଥାବସ୍ଥାରେ ଅଧିକ ଅବନତି ଦେଖାଯିବାରୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ତେବେ ଦୀର୍ଘ ୨୦ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ରାତି ପ୍ରାୟ ୮ଟା ୧୦ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/debendra-sir.jpg)