କରୋନାରେ ଅଣନିଃଶ୍ୱାସୀ ଭାରତ, ସଞ୍ଜିବନୀ ଯୋଗାଉଛି ଓଡିଶା । ଅକ୍ସିଜେନ ଅଭାବ ଥିବା ୬ ରାଜ୍ୟକୁ ସହାୟତାର ହାତ ବଢାଇଲା ଓଡିଶା ।

215

କନକ ବ୍ୟୁରୋ: କୋଭିଡରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ବାହାର ରାଜ୍ୟରେ ଅକ୍ସିଜେନର କେତେ ଆବଶ୍ୟକତା ରହିଛି, ତାହା ଆପଣ ଜାଣିଥିବେ । ଏହାରି ଭିତରେ ଯାଜପୁୁର କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡିଛି ଅକ୍ସିଜେନ ଗାଡି । ଆଗେ ଆଗେ ଚାଲିଛି ଏସକର୍ଟ ଭ୍ୟାନ, ପଛେ ପଛେ ଚାଲିଛି ଅକ୍ସିଜେନ ଟ୍ୟାଙ୍କର । ଯାଜପୁର ପୋଲିସର ଏସକର୍ଟରେ ୫ଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ବାହାରିଛନ୍ତି ।

  • କରୋନା କାଳରେ ଅକ୍ସିଜେନ ସଂକଟ
  • ୬ ରାଜ୍ୟକୁ ସଂଜିବନୀ ଯୋଗାଉଛି ଓଡିଶା

ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର ଓ ଆନ୍ଧ୍ରପ୍ରଦେଶ, ଏହି ୬ଟି ରାଜ୍ୟକୁ ସଂଜିବନୀ କୁହାଯାଉଥିବା ଅକ୍ସିଜେନ ଯୋଗାଣ ଆରମ୍ଭ କରିଛି ଓଡିଶା । ଦେଶର କୌଣସି ରାଜ୍ୟରେ ଅକ୍ସିଜେନ ଅଭାବ ହେଲେ ତୁରନ୍ତ ଯୋଗାଇବା ପାଇଁ କହିଛନ୍ତି ରାଜ୍ୟ ସରକାର । ତେଣୁ ଓଡିଶା ଏହାର ଆବଶ୍ୟକତା ଠାରୁ ବଳକା ଅକ୍ସିଜେନକୁ ଅଭାବ ଥିବା ରାଜ୍ୟକୁ ପଠାଉଛି । ରାଜ୍ୟର ବଳକା ୪୦ ଟନ ଅକ୍ସିଜେନ ୬ଟି ଅଭାବୀ ରାଜ୍ୟକୁ ପଠା ଯାଇଛି ।

ଅକ୍ସିଜେନ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଥିରେ ଯେପରି ବାଧା ନ ଆସେ ସେ ନେଇ ଧ୍ୟାନ ଦେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଖୋଲିଥିବା ସ୍ୱତନ୍ତ୍ର ସେଲ ଏହା ଉପରେ ନଜର ରଖିଛି । ଅକ୍ସିଜେନ ସଂକଟର ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ରାଷ୍ଟ୍ରାୟତ ଉଦ୍ୟୋଗ ରାଉରକେଲା ଷ୍ଟିଲ ପ୍ଲାଂଟ । ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟକୁ ଅକ୍ସିଜେନ ପଠାଉଛି ଆରଏସପି । ଦିଲ୍ଲୀକୁ ଜରୁରୀକାଳୀନ ଭିତ୍ତିରେ ୨୩ ମେଟ୍ରିକ ଟନ ତରଳ ମେଡିକାଲ ଅକ୍ସିଜେନ ପଠାଇଥିବା ଆରଏସପି ଟ୍ୟାଙ୍କର ଯୋଗେ ମଧ୍ୟ ପ୍ରଦେଶକୁ ଅକ୍ସିଜେନ ପଠାଇଛି । ଅକ୍ସିଜେନ ଯୋଗାଣକୁ ସହଜ କରିବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି ।

ଅକ୍ସିଜେନର ଅଭାବ ସମୟରେ ରାଜ୍ୟର କିଛି ଶିଳ୍ପ ପ୍ରତିଷ୍ଠାନକୁ ୨୪ ଘଂଟିଆ ଅକ୍ସିଜେନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଟାଟା କଳିଙ୍ଗନଗର, ଜେଏସପିଏଲ ଅନୁଗୁଳ, ଟାଟା ଭୂଷଣ ଢେଙ୍କାନାଳ, ଜେଏସଏଲ କଳିଙ୍ଗନଗର, ଏହି ଶିଳ୍ପାନୁଷ୍ଠାନ ଗୁଡିକୁ ବର୍ତମାନ ୨୪ ଘଂଟିଆ ଅକ୍ସିଜେନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ପରିବହନରେ ସମସ୍ୟା ରହିଥିବାରୁ ସଡକ ପଥରେ କିପରି ଏହାର ପରିବହନ ସୁରୁଖୁରୁରେ ହୋଇପାରିବ ତା ଉପରେ ନଜର ରଖାଯାଇଛି ।