କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ନିର୍ବନ୍ଧ ସରିଥିଲା, ଆଉ ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ହେଲେ ବାହାଘର ପୂର୍ବରୁ ଚାଲିଗଲା ଜୀବନ । ନଦୀ କଡ଼ରେ ସେଲଫି ନେବା ହେଲା କାଳ । ପରିବାର ଲୋକ ଓ ସାଂଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଂଗଙ୍କ ସହ ଫଟୋ ଉଠାଇବାକୁ ଯାଇଥିଲେ । ହେଲେ ପାହାଡ ଉପରେ ଛିଡା ହୋଇ ସେଲଫି ନେବା ବେଳେ ହଠାତ ତଳେ ପଡିଯାଇଥିଲେ । ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ୨୨ଘଂଟା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଯୁବତୀ ଜଣଙ୍କ ହେଲେ ଅନୁପମା ପ୍ରଜାପତି । ଘର ରାଇରଙ୍ଗପୁର । ବାପା , ମାଆ, ପରିବାରର ସମସ୍ତ ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ଅନୁପମା ବଣଭୋଜି କରିବାକୁ ସୁନ୍ଦରଗଡ ଜିଲ୍ଲା ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ପରିବାର ଲୋକ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ନଦୀ ମଝିରେ ଥିବା ୭ବଖରା ସ୍ଥାନକୁ ଯାଇଥିଲେ । ସେଠାରେ ସେଲଫି ନେବାବେଳେ ଅସାଧାବନତା କାରଣରୁ ସେ ତଳକୁ ଖସି ଗଭୀର ଜଳଭଉଁରୀରେ ପଡି ଯାଇଥିଲେ । ଦେଖୁ ଦେଖୁ ସେ ପାଣି ଭିତରେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ଗଭୀର ଜଳ ଭିତରକୁ ପଶିବାକୁ ସାହାସ ଜୁଟାଇ ପାରି ନଥିଲେ ।
ଅନୁପମାଙ୍କ ବିବାହ ଝାରଖଣ୍ଡ ରାଜ୍ୟ ସିମଡେଗାରେ ସ୍ଥିର ହୋଇଥିଲା । ଦୁଇ ମାସ ପୂର୍ବେ ତାଙ୍କ ନିର୍ବନ୍ଧ ହୋଇଥିଲା । ଫେବ୍ରୁଆରୀ ୧୬ତାରିଖ ପାଇଁ ତାଙ୍କର ବିବାହ ଲଗ୍ନ ଧାର୍ଯ୍ୟ ହୋଇଥିଲା । ଅନୁପମାଙ୍କ ଏଭଳି ମୃତ୍ୟୁ ପରିବାର ଓ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳାଇ ଦେଇଛି।