ସାଢେ ୭ମାସ ପରେ ଓଡ଼ିଶାରେ ୧୭୦କୁ ଖସିଲା ଦୈନିକ ସଂକ୍ରମଣ : ପୂର୍ବରୁ ମାର୍ଚ୍ଚ ୨୩ତାରିଖରେ ସଂକ୍ରମଣ ସଂଖ୍ୟା ଥିଲା ୧୭୦

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଲା, ସଂକ୍ରମଣ କମିଲେ ବି ରହିବାକୁ ପଡିବ ସତର୍କ

107

କନକ ବ୍ୟୁରୋ : ସାଢେ ୭ମାସ ପରେ ଓଡ଼ିଶାରେ ୧୭୦କୁ ଖସିଲା ଦୈନିକ ସଂକ୍ରମଣ । ପୂର୍ବରୁ ମାର୍ଚ୍ଚ ୨୩ତାରିଖରେ ସଂକ୍ରମଣ ସଂଖ୍ୟା ଥିଲା ୧୭୦ । ରାଜ୍ୟରେ ଗତ ୨୪ ଘଂଟାରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ରହିଛି ୨୪ ଜଣ । ସଂଗରୋଧରୁ ୯୮ ଜଣ ଥିବା ବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ୬୧, କଟକରୁ ୧୯, କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ୧୧ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୫ ହଜାର ୭୪୩ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ଶୂନ ଦଶମିକ ୩୦ ପ୍ରତିଶତ ।

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୪୪୭ ଜଣ । ମୋଟ ସୁସ୍ଥ ସଂଖ୍ୟା ରହିଛି ୧୦ ଲକ୍ଷ ୩୦ ହଜାର ୮୮୯ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୬୫୧ । ଗୋଟିଏ ଦିନରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୧୧ ଜିଲ୍ଲାର ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ୨୩ ମାର୍ଚ୍ଚ ପରେ ରାଜ୍ୟରେ କରୋନା କମିଛି । ସେହି ସମୟରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାଢ଼େ ୭ମାସ ପରେ ଆଜି ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ସଂକ୍ରମଣ କମି ଥିଲେ ବି ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଡିଏମଇଟି ରମାରମଣ ମହାନ୍ତି । ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ବଢିବାର ବିଭିନ୍ନ କାରଣ ହୋଇପାରେ ସେ ଦୃଷ୍ଟିରୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ, ଚିକିତ୍ସା ସୁବିଧା ସହ ଅକ୍ସିଜେନ ମହଜୁଦ ରଖିଛନ୍ତି ।ପୂର୍ବରୁ ଡେଲଟା ଭାଇରସ ନେଇ ଅଭିଜ୍ଞତା ଅଛି ତେଣୁ ଜନସାଧାରଣ ଭୟଭୀତ ହେବାର ନାହିଁ । ବର୍ତମାନର ସଂକ୍ରମଣ ସ୍ଥିତି ଆଶ୍ୱସ୍ତିକର ରହିଛି କିନ୍ତୁ ସାବଧାନ ରହିବା ଉଚିତ । ଏହାସହ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଡିଏମଇଟି ।