ସିସୋର ଚିଟଫଣ୍ଡ ଠକେଇ ମାମଲା ! ଗିରଫ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆଜି ଜାମିନ ଆବେଦନର ଶୁଣାଣି

46

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ବିଧାୟକ ପ୍ରଭାତ ବିଶ୍ୱାଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଇକୋର୍ଟ ଜାମିନ ପାଇଁ ଆବେଦନ କରିଛନ୍ତି । ଶ୍ରୀ ବିଶ୍ୱାଳ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି । ଆଜି ଶ୍ରୀ ବିଶ୍ୱାଳଙ୍କ ଜାମିନ ଆବେଦନ ହାଇକୋର୍ଟରେ ଶୁଣାଣି ହେବାକୁ ତାଲିକାଭୁକ୍ତ କରାଯାଇଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଶୁଣାଣି ପାଇଁ ଶ୍ରୀ ବିଶ୍ୱାଳଙ୍କ ଆବେଦନ ତାଲିକାଭୁକ୍ତ କରାଯାଇଛି ।

୨୦୧୭, ସେପ୍ଟେମ୍ବର ୨୬ରେ ଖୋର୍ଦ୍ଧା ଦୌରା ଜଜ୍ ଅଦାଲତ ତାଙ୍କ ଜାମିନ ଖାରଜ କରିବା ପରେ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଛନ୍ତି । ଏଥିସହିତ ସେ ଦର୍ଶାଇଛନ୍ତି ଯେ, ସିସୋର କାରବାର ସହିତ ତାଙ୍କର କିଛି ସଂପର୍କ ନାହିଁ ଓ ଏହି ମାମଲାରେ ତାଙ୍କୁ ଫସାଇ ଦିଆଯାଇଛି । ଅଭିଯୋଗର ତଦନ୍ତ ସମୟରେ ତାଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରା ଉଚୁରା କରି ସାରିଛି । ସେ ଜଣେ ବିଧାୟକ ହୋଇଥିବା ବେଳେ ପଳାୟନ କରିବାର କୌଣସି ସମ୍ଭାବନା ନାହିଁ । ଏପରି ପରିସ୍ଥିତିରେ ତାଙ୍କୁ ଯେ କୌଣସି ସର୍ତ୍ତ ରଖି ଜାମିନ ପ୍ରଦାନ କରାଯାଉ ବୋଲି ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ସିସୋର ଚିଟଫଣ୍ଡ ସଂସ୍ଥା ସହ ଅର୍ଥ ଓ ଜମି କାରବାର ନେଇ ଶ୍ରୀ ବିଶ୍ୱାଳଙ୍କୁ ଗତ ମାସ ୧୮ତାରିଖରେ ସିବିଆଇ ଗିରଫ କରିଥିଲା । ଏହାପରେ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା । ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା । ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ସେପ୍ଟେମ୍ବର ୨୩ରେ ଖାରଜ କରିଥିଲେ। ଝାରପଡା ଜେଲରେ ଶ୍ରୀ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ତାଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ଏସସିବିରେ ଚିକିତ୍ସିତ ହେଉଛନ୍ତି ।