ରାମ ଲାଲାଙ୍କ ମୂର୍ତ୍ତି ଗଢ଼ିବେ ଓଡ଼ିଆ ଶିଳ୍ପୀ । ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ ମୂର୍ତ୍ତି । ନିର୍ମାଣ ପାଇଁ ଓଡ଼ିଶାରୁ ଯିବ ବିରଳ ପଥର

169

କନକ ବ୍ୟୁରୋ: ଆଉ କିଛି ମାସର ଅପେକ୍ଷା । ଦର୍ଶନ ପାଇଁ ପ୍ରସ୍ତୁତ ହୋଇଯିବ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିର । ମନ୍ଦିର ନିର୍ମାଣ କାର୍ଯ୍ୟ ୬୦ ପ୍ରତିଶତ ସରିଥିବାବେଳେ ଗର୍ଭଗୃହରେ ସ୍ଥାନ ପାଇବାକୁ ଥିବା ମୃର୍ତ୍ତି ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ବଛା ବଛା ଶିଳ୍ପୀ ଶ୍ରୀରାମଙ୍କ ବିଭିନ୍ନ ମୂୂର୍ତି ତିଆରି କରିବେ । ଯେଉଁଥିରେ ସ୍ଥାନ ପାଇଛନ୍ତି ଓଡିଆ ମୂର୍ତି କାରିଗର ସୁଦର୍ଶନ ସାହୁ ।

ପୁଣି ଥରେ ଦୁନିଆ ଦେଖିବ ଓଡ଼ିଆ ଶିଳ୍ପୀଙ୍କ କାରିଗରି । ପ୍ରଖ୍ୟାତ ଶିଳ୍ପୀ ତଥା ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଗଢ଼ିବେ ବାଳ ଶ୍ରୀରାମଙ୍କ ମୂର୍ତ୍ତି । ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ଯେଉଁ ମୂର୍ତ୍ତି ପ୍ରତିଷ୍ଠା କରାଯିବ, ଏହି ମୂର୍ତ୍ତି ନିର୍ମାଣ ପାଇଁ ସ୍ୱତନ୍ତ୍ର ମୂର୍ତ୍ତି କାରିଗରଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁଥିରେ ଅଛନ୍ତି ଓଡ଼ିଶାର ସୁଦର୍ଶନ ସାହୁ । ଓଡିଶା ସମେତ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଖ୍ୟାତାନାମ ମୂର୍ତି କାରିଗର ଶ୍ରୀରାମଙ୍କ ମୂର୍ତି ନିର୍ମାଣ କରିବେ ।

କେବଳ ସେତିକି ନୁହେଁ ମୂର୍ତ୍ତି ପାଇଁ ଆବଶ୍ୟକ ହେଉଥିବା ବିରଳ ଆକାଶୀ ରଙ୍ଗର ପଥର ମଧ୍ୟ ଓଡ଼ିଶାରୁ ଯିବ । ଓଡିଶା ଓ ମହାରାଷ୍ଟ୍ରରୁ ଏହି ପଥର ଅଣାଯାଇ ମୂର୍ତ୍ତି ନିର୍ମାଣ କରାଯିବ । ୨୦୨୪ ମକର ସଂକ୍ରାନ୍ତୀରେ ମନ୍ଦିର ଗର୍ଭଗୃହରେ ଏହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଭୁ ଶ୍ରୀରାମଙ୍କ ବାଳ ସୂରୁପ ଅର୍ଥାତ ୫ରୁ ୭ ବର୍ଷ ବୟସର ପ୍ରଭୁ ଶ୍ରରାମଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯିବ ।

ଆଉ କିଛି ମାସର ଅପେକ୍ଷା । ଦେଶ ଦେଖିବ ଅଯୋଧ୍ୟାର ଭବ୍ୟ ଶ୍ରୀରାମଙ୍କ ମନ୍ଦିର । ବର୍ତମାନ ସୁଦ୍ଧା ପ୍ରାୟ ୬୦% ମନ୍ଦିର ନିର୍ମାଣ କାମ ସମ୍ପନ୍ନ ହୋଇଛି । ୨୦୨୪ ଜାନୁଆରୀ ମାସ ସୁଦ୍ଧା ଭକ୍ତଙ୍କ ପାଇଁ ଶ୍ରୀରାମଙ୍କ ମନ୍ଦିର ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ଦିଆଯାଇଛି ।