ଫିଟିବ ସ୍କୁଲ ଫାଟକ, ପ୍ରସ୍ତୁତ ହେଉଛି ନିର୍ଦ୍ଦେଶାବଳୀ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସଙ୍କେତ, ନବମରୁ ଦ୍ୱାଦଶ ଶ୍ରେଣୀରେ ହେବ ପାଠପଢ଼ା ।
କେମିତି ହେବ କ୍ଲାସ ? ପିଲାଙ୍କୁ ସ୍କୁଲ ଛାଡିବେ କି ଅଭିଭାବକ ?
କନକ ବ୍ୟୁରୋ : ସାତ ମାସ ପରେ ଓଡିଶାରେ ସ୍କୁଲ ଖୋଲିବାକୁ ଯାଉଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ମନ୍ତ୍ରୀ କହିଛନ୍ତି ସ୍କୁଲ ଖୋଲିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବା ଏସଓପି ପ୍ରସ୍ତୁତ କରାଯାଉଛି । ଏଥିପାଇଁ ବିଭାଗୀୟ ବୈଠକ ବସିଛି ଏବଂ ଏନେଇ ଜିଲ୍ଲାପାଳ ଓ ଡିଇଓଙ୍କ ସହ ଆଲୋଚନା ହେବ । ବର୍ତ୍ତମାନ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହୋଇଛି । ଆଉ ଅଧିକ ହ୍ରାସ ହେବ ନାହିଁ । ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ନବମରୁ ଦ୍ୱାଦଶ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ମାସରେ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀରେ ହେବ ପାଠପଢ଼ା । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ୧୪ ତାରିଖରୁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଆଉ କେବେ ଖୋଲିବ ସ୍କୁଲ ଓ କେବେ ଆରମ୍ଭ ହେବ ପିଲାଙ୍କ ପାଠପଢ଼ା, ଏହାକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଥିବାବେଳେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏବଂ ଚଳିତ ମାସରେ ଦୀପାବଳି ପରେ ସ୍କୁଲ ଖୋଲିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ କେବଳ ନବମ, ଦଶମ ଓ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ହେବ ।
ତେବେ ପ୍ରଶ୍ନ ଉଠୁଛି, କେମିତି ହେବ କ୍ଲାସ ? ପିଲାଙ୍କୁ ସ୍କୁଲ ଛାଡିବେ କି ଅଭିଭାବକ ? ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବାକୁ ଯାଉଥିଲେ ମଧ୍ୟ, ଏବେ ବି କରୋନା ସଂକ୍ରମଣର ଭୟ ଯାଇନି । ତେଣୁ କେମିତି ସ୍କୁଲ ଖୋଲାଯିବ ? ତାହା କର୍ତ୍ତୃପକ୍ଷଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀ ଜିଲ୍ଲାପାଳ ଓ ଡିଇଓଙ୍କ ସହ ଲଗାତାର ଭାବେ ଆଲୋଚନା କରୁଛନ୍ତି । ଏଥିସହ ବିଭିନ୍ନ ଅଂଶୀଦାରଙ୍କ ସହ ବିଭାଗ ପକ୍ଷରୁ ଆଲୋଚନା ହେଉଛି । ଖୁବଶୀଘ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ଜାରି କରାଯିବ । ଏଥିସହ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ନହେଲେ ଅନଲାଇନରେ ପଢ଼ାଇବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏବେ ଆସନ୍ତୁ ନଜର ପକାଇବା, ସ୍କୁଲ ଖୋଲିବା ପାଇଁ କଣ ରହିବ ଚ୍ୟାଲେଞ୍ଜ ?
– ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା
– ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା
– ବିଦ୍ୟାଳୟ ପରିସରକୁ ସାନିଟାଇଜ୍ କରିବା
– ସ୍କୁଲର ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଥର୍ମାଲ ସ୍କ୍ରିନିଂ କରିବା
– ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବା
ଲକଡାଉନ ହଟିବା ପରେ ସେପ୍ଟେମ୍ବର ମାସରୁ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଜମ୍ମୁକାଶ୍ମୀର, ହରିୟାଣା, ହିମାଚଳପ୍ରଦେଶ, ମେଘାଳୟ ଓ ନାଗାଲାଣ୍ଡରେ କରୋନା କଟକଣା ଭିତରେ ସ୍କୁଲ ଖୋଲାଯାଇଛି । ସେହିପରି ଉତ୍ତରପ୍ରଦେଶ, ପଞ୍ଜାବ, ସିକିମରେ ଅକ୍ଟୋବର ମାସରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି ।