ଆଜି ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ : ପ୍ରଥମ ସପ୍ତାହରେ ହେବନି ପାଠପଢା, କେବଳ ହେବ ଆକ୍ଟିଭିଟି; ସ୍କୁଲ ଯାଇନଥିବା ପିଲାଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବହି

141

କନକ ବ୍ୟୁରୋ : ପାଖାପାଖି ଦୁଇ ବର୍ଷ ପରେ ସ୍କୁଲ ପିଣ୍ଡା ମାଡିବେ ଛୋଟ ପିଲା । ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ । କରୋନା ପାଇଁ ସ୍କୁଲ ବନ୍ଦ ରହିଥିଲା । ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ବିଭିନ୍ନ ଆକ୍ଟିଭିଟି କରାଯିବ ।

ଦୀର୍ଘଦିନ ଧରି ସ୍କୁଲ ବନ୍ଦ ଥିବାରୁ ଷ୍ଟୋରି ଲେଖିବା, କହିବା ଭଳି କାର୍ଯ୍ୟକ୍ରମ କରାଯାଇ ହସଖୁସିର ମାହୋଲରେ ପାଠପଢା ଯିବା ନେଇ ବିଭାଗ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛି । ଶ୍ରେଣୀ ଶିକ୍ଷା ଗ୍ରହଣ କରିନଥିବାରୁ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବାର ବ୍ୟବସ୍ଥା କରାଯିବ । ଦୁଇବର୍ଷର ଶ୍ରେଣୀ ପାଠପଢାର ଭରଣା ଦୂର ହେବ ଏବଂ ପିଲାମାନେ ପଛରେ ପଡିବେ ନାହିଁ । ଏହି ସମୟରେ କିନ୍ତୁ କୋଭିଡ କଟକଣା ପାଳନ ହେବ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ କରାଯାଇଥିଲା । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୋମବାରଠାରୁ କ୍ଲାସରୁମ୍‌ ଶିକ୍ଷା ଦିଆଯିବ । ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ । ଏଥିସହ ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି । ତେଣୁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ ।

ଫଳରେ ଦୁଇ ବର୍ଷ ହେବ ଶ୍ରେଣୀ ପାଠପଢ଼ା ଦୂରରେ ଥିବା ପିଲାମାନେ ପଛେଇ ଯିବେ ନାହିଁ । ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ଗତ ଦୁଇ ସପ୍ତାହ ହେଲା ପଞ୍ଚାୟତ ନିର୍ବାଚନ ହୋଇଥିବାରୁ କରୋନା ଦୃଷ୍ଟିରୁ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି । ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ବୈଠକ କରାଯାଇଛି। ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତବ୍ୟ ।