ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର : ପୋଲିସ ଇନଫର୍ମର ସନ୍ଦେହରେ ପୁଅକୁ ହତ୍ୟା କରିବା ପରେ ଗାଁଠାରୁ ଦୂରେଇ ରହିଲେ ଦୌପଦୀ ପାତ୍ରଙ୍କ ପରିବାର

କନ୍ଧମାଳ ଛାଡ଼ି କଳାହାଣ୍ଡି ଯାଇଥିବା ସୂଚନା

91

କନକ ବ୍ୟୁରୋ : ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର । ପୁଲିସ ଉପରୁ ଆସ୍ଥା ହରାଇ ଗାଁ ଛାଡ଼ିଥିବା ସୂଚନା । କନ୍ଧମାଳ ଜିଲ୍ଲା ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର । କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ ହରାଇଥିବା ସରପଂଚଙ୍କ ପରିବାର ମଧ୍ୟ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି । ଭଣ୍ଡରଙ୍ଗି ସରପଂଚ ଦୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କୁ ପୁଲିସ ଇନଫର୍ମର କହି ମାଓବାଦୀମାନେ ହାତଗୋଡ଼ ବାନ୍ଧୀ ଗଳାକାଟି ନିର୍ମମ ହତ୍ୟା କରିଥିଲେ । ତାଙ୍କର ସମ୍ପର୍କୀୟ ପୀତାମ୍ବରଙ୍କ ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ସରପଂଚଙ୍କ ପରିବାର ଆହୁରି ଭୟଭୀତ ହୋଇପଡ଼ିଥିଲେ ।

ବିଭିନ୍ନ ସମୟରେ ମାଓବାଦୀଙ୍କ ଧମକଚମକ ରହୁଥିବାରୁ ସରପଂଚଙ୍କ ପରିବାର ପୁଲିିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ପାଇଁ ଗାଁ ଛାଡ଼ି ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ଛାଡ଼ି ଚାଲିଯାଇଥିବା ସୂଚନା ରହିଛି । ଏଭଳି ଘଟଣା ଘଟିବା ପରେ ମଧ୍ୟ ଘଟଣା ସ୍ଥଳରେ ପୋଲିସ ନପହଂଚିବାରୁ ଗାଁଲୋକ ଭୟଭୀତ ହୋଇପଡ଼ିଛନ୍ତି । ସୂଚନା ଅନୁସାରେ ଏବେବି ଶହେରୁ ଅଧିକ ମାଓବାଦୀମାନେ ସେମାନଙ୍କ ଶକ୍ତି ବୃଦ୍ଧି ପାଇଁ ଜଙ୍ଗଲରେ ଘୁରି ବୁଲୁଛନ୍ତି ।