ବିଦେଶରେ ପଢିଥିଲେ ଡାକ୍ତରୀ, ହେଲେ ଓଡ଼ିଶାରେ ମିଳୁନି ଚାକିରି । ଛାତ୍ରଛାତ୍ରୀଙ୍କ ଅଭିଯୋଗ, ୧୫ ତାରିଖ ମଧ୍ୟରେ ଚାକିରି ନମିଳିଲେ ପିଜି ପ୍ରବେଶିକା ପାଇଁ ମିଳିବନି ସୁଯୋଗ

1,119

କନକ ବ୍ୟୁରୋ : ଡାକ୍ତରୀ ପଢିବା ପାଇଁ ବିଦେଶ ଯାଇଥିଲେ ଓଡିଶାର ଛାତ୍ରଛାତ୍ରୀ । କିଏ ୫ ବର୍ଷ ପଢିଲେ ତ କିଏ ପଢିଲେ ୬ ବର୍ଷ । ୟୁକ୍ରେନ, ବାଂଲାଦେଶ, କିର୍ଜିକିସ୍ତାନ ଭଳି ବିଭିନ୍ନ ଦେଶରେ ଡାକ୍ତରୀ ପାଠ ପଢିଲେ । କିନ୍ତୁ ବିଡମ୍ୱନାର କଥା ଏବେ ମିଳୁନାହିଁ ଚାକିରି।

ପରୀକ୍ଷାଫଳ ପ୍ରକାଶ ହେବାର ୫ ମାସ ପରେ କାଉନସେଲିଂ ହେଲା । କିନ୍ତୁ ଦୁର୍ଭାଗ୍ୟର କଥା କାଉନସେଲିଂ ସରିଥିଲେ ବି କେଉଁଠି ଓ କେବେ ଚାକିରି ପାଇବେ ତାହା ଏବେ ବି ଅନିଶ୍ଚିତତା ଘେରରେ । ଜୁଲାଇ ୧୫ ସୁଦ୍ଧା ଚାକିରି ନକଲେ ଆସନ୍ତା ପିଜି ପ୍ରବେଶିକା ପାଇଁ ଯୋଗ୍ୟ ହେବେ ନାହିଁ, ବେକାର ହୋଇଯିବ ଗୋଟିଏ ବର୍ଷ

ଡାକ୍ତର ହେବାର ସ୍ୱପ୍ନ ଅନେକ ଦେଖିଥାନ୍ତି, କିନ୍ତୁ ପାଠ ପଢା ଖର୍ଚ୍ଚ ଏତେ ମହଙ୍ଗା ଯେ, ବିଦେଶ ଯାଇ ଟିକେ କମ ଖର୍ଚ୍ଚରେ ପଢିବାକୁ ଅନେକ ଯୋଜନା କରିଥାନ୍ତି । କେନ୍ଦୁଝରର ଇସାରୁର ରେହମାନ ବାଂଲାଦେଶର ଢାକା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢୁଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବନ୍ଧୁ ଓ ସଂପର୍କୀୟଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇଥିଲେ । କିନ୍ତୁ ଚାକିରି ନପାଇଲେ ସେସବୁ ଟଙ୍କା କେମିତି ଫେରାଇବେ ସେହି ଚିନ୍ତାରେ ଅଛନ୍ତି ରେହମାନଙ୍କ ଭଳି ଅନେକ ଛାତ୍ରଛାତ୍ରୀ।

ଏମବିବିଏସ ପରେ ପିଜି କରିବାକୁ ଅନେକ ଚାହାନ୍ତି । ଜୁଲାଇ ୧୫ ମଧ୍ୟରେ ଚାକିରୀ ଦିଆଯାଉ ବୋଲି ଦାବି କରିଛନ୍ତି ବିଦେଶରୁ ଡାକ୍ତରୀ ପଢ଼ିଥିବା ଛାତ୍ରଛାତ୍ରୀ । ପୂର୍ବରୁ ଓଡିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନର ଅଧିକାରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ସମାଧାନର ବାଟ ବାହାରି ପାରିନାହିଁ । ସରକାର ନଶୁଣିଲେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି କହିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।