ଶିଖର ଛୁଇଁଛି କରୋନା, ଖୋର୍ଦ୍ଧାରେ ସ୍ଥିତି ସଙ୍ଗୀନ । ବରିଷ୍ଠ ଚିକିତ୍ସକଙ୍କ ମତ, ସାରା ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା । ଆଜି ରାଜ୍ୟରେ ୩, ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ରୋଗୀ ଚିହ୍ନଟ ।

782

କନକ ବ୍ୟୁରୋ : କରୋନା ସଂକ୍ରମଣ ହାରରେ ଆଜିର ଦିନରେ ଦେଶରେ ସର୍ବାଧିକ ହାର ରହିଛି ଖୋର୍ଦ୍ଧା ଜିଲ୍ଲାରେ । ଖୋର୍ଦ୍ଧାରେ ସଙ୍ଗୀନ ହୋଇଉଠିଛି କରୋନା ସ୍ଥିତି । ଜିଲ୍ଲାରେ ଗଂଜାମଠାରୁ ୧୯ଗୁଣା ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ ମତ, ସାରା ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢି ବଢି ଚାଲିଛି, ରାଜ୍ୟର ହସ୍ପିଟାଲ ଗୁଡିକରେ ସେହି ଅନୁପାତରେ ବେଡ୍, ଆଇସିୟୁ ଏବଂ ଭେଂଟିଲେଟର ଅଛି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ରୋଗୀଙ୍କ ସଂଖ୍ୟା ବଢୁଛି ଏବଂ ସେହି ହାରରେ ବେଡ୍, ଆଇସିୟୁ ଏବଂ ଭେଂଟିଲେଟର ନାହିଁ ।

ସେପ୍ଟେମ୍ବର-୧୧ – ୬୦୬ ଆକ୍ରାନ୍ତ
ସେପ୍ଟେମ୍ବର-୧୨ – ୮୧୫ ଆକ୍ରାନ୍ତ
ସେପ୍ଟେମ୍ବର-୧୩ – ୫୫୬ ଆକ୍ରାନ୍ତ
ସେପ୍ଟେମ୍ବର-୧୪ – ୭୫୮ ଆକ୍ରାନ୍ତ
ସେପ୍ଟେମ୍ବର-୧୫ – ୫୧୭ ଆକ୍ରାନ୍ତ

ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ହାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଗତ ୫ ଦିନ ଭିତରେ ହାରାହାରି ୫୦୦ରୁ ଅଧିକ ଆକ୍ରାନ୍ତ ରହୁଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରେ । ଡାକ୍ତର ମନୋଜ ସାହୁଙ୍କ କହିବାନୁସାରେ ସାରାଦେଶରେ ସଂକ୍ରମଣ ହାର ବର୍ତମାନ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ । ଗଂଜାମ ଠାରୁ ୧୯ ଗୁଣା ଅଧିକ ରହିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ସୋମବାର ସୁଦ୍ଧା ଗଂଜାମରେ ୩୪୧ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ରହିଛି ୬ହଜାର ୪୮୧ ରହିଛି ।

ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଛନ୍ତି, ଭୁବନେଶ୍ୱର ବର୍ତ୍ତମାନ ପିକରେ ପହଞ୍ଚିସାରିଛି । ଏଭଳି ପରିସ୍ଥିତି ଆଉ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ରହିବ । ଖୋର୍ଦ୍ଧାରେ ସୁସ୍ଥ ହାର ରହିଛି ୭୪ ପ୍ରତିଶତ, ଯାହାକି ରାଜ୍ୟରେ ସୁସ୍ଥ ହାର ୭୭ ପ୍ରତିଶତରୁ କମ ।
ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏବେ ଚିନ୍ତା ବଢାଇଛି ବେଡ୍ ଓ ଆଇସିୟୁ ସଂଖ୍ୟା । ସବୁଠୁ ବଡ ପ୍ରଶ୍ନ ହେଲା, ଯେଉଁ ହାରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସେହି ଅନୁପାତରେ ଆମ ପାଖରେ ଆବଶ୍ୟକ ବେଡ୍ ଓ ଆଇସିୟୁ ଅଛି ତ ? ଏବେ ନଜର ପକାନ୍ତୁ ରାଜ୍ୟରେ କଣ ରହିଛି ବେଡ୍ ଓ ଆଇସିୟୁ ସ୍ଥିତି ।

ଏହି ମାସ ୮ ତାରିଖର ସୂଚନା ମୁତାବକ, ବିଏମସିର ତଥ୍ୟ କହୁଛି, ଭୁବନେଶ୍ୱରରେ ଥିବା ୫ଟି କୋଭିଡ ହସ୍ପିଟାଲ ସମେତ ୪ଟି କୋଭିଡ କେୟାର ସେଂଟରରେ ୨୭୬୭ଟି ବେଡ ରହିଛି । ଏଥିମଧ୍ୟରୁ ୧୮୮୩ଟି ବେଡରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଗୁରୁତ୍ୱପୂର୍ଣ୍ଣୃ କଥା ହେଲା ୯୮ ପ୍ରତିଶତରୁ ଅଧିକ ୱାର୍ଡ ବେଡ୍ ପୂରଣ କରାଯାଇଛି । ବାକି କୋଭିଡ କେୟାର ସେଂଟରରେ ଯାହା କିଛି ବେଡ ରହିଛି ।

ଡାକ୍ତରଙ୍କ କହିବା ହେଲା, ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସ ପ୍ରଭାବିତ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଥିବାରୁ ଆଇସିୟୁ ଏବଂ ଭେଂଟିଲେଟର ଜରୁରୀ ହୋଇପଡିଛି । ତେଣୁ ମୃତ୍ୟୁହାରକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଅଧିକ ଆଇସିୟୁ ଓ ଭେଂଟିଲେଟର ନିହାତି ଆବଶ୍ୟକ ।

ଗତ ୨ମାସରେ ରାଜ୍ୟରେ କରୋନା ସ୍ଥିତିକୁ ଯଦି ଦେଖାଯାଏ, ଏମିତି ଅନେକ ଉଦାହରଣ ଆସିଛି ଯେତେବେଳେ କରୋନା ସଂକ୍ରମିତ ବେଡ ଖଣ୍ଡିଏ ପାଇବା ପାଇଁ ଗଞ୍ଜାମରୁ ଭୁବନେଶ୍ୱର ଦୌଡିଛି । ଆଉ ରାତି ରାତି ଅନିଦ୍ରା ରହିବା ପରେ ମଧ୍ୟ ବେଡ୍ ଖଣ୍ଡିଏ ମିଳିନି । ଏପରି ସ୍ଥିତିରେ ବଢୁଥିବା କରୋନା ମିଟର ହସ୍ପିଟାଲରେ ବେଡ୍, ଆଇସିୟୁ ଏବଂ ଭେଟିଲେଟର ଚାହିଦା ମୁତାବକ ମହଜୁଦ ରଖିବା ପାଇଁ ସତର୍କ କରାଇ ଦେଇଛି ।