କନକ ବ୍ୟୁରୋ : ଓଡିଶାରେ ଗତ କିଛି ଦିନ ହେଲା ପ୍ରତ୍ୟେକ ଦିନ ଦେଢ଼ ଶହରୁ ଦୁଇ ଶହ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ସମସ୍ତେ ଚମକି ପଡିଥିଲେ । ଗୋଟିଏ ଦିନରେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୮ ହଜାର ଟପି ଯାଇଛି । ସେପଟେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଁଚିଛି । ଅନ୍ୟପଟେ ଆଜି ଆଉ ୨୦୩ ଜଣ ସୁସ୍ଥ ହୋଇଛନ୍ତି । ସେପଟେ କୋଭିଡ୍ ପ୍ରବକ୍ତା ସୁବ୍ରତ ବାଗଚୀ କହିଛନ୍ତି, ଟାଇମ ପାସ୍ କରିବା ପାଇଁ ବାହାରକୁ ଗଲେ ଲାଇଫ୍ ଫେଲ୍ ହୋଇଯିବ ।

Advertisment

ଗୋଟିଏ ଦିନରେ ୫୬୧ ନୂଆ କରୋନା ଆକ୍ରାନ୍ତ । କେବଳ ଗଂଜାମରେ ୨୮୩ ନୂଆ ଆକ୍ରାନ୍ତ । ବଦଳୁଛି ଓଡ଼ିଶାରେ କରୋନା ସ୍ଥିତି । ୨୪ ଘଂଟା ଭିତରେ ୫୬୧ କରୋନା ପଜିଟିଭ୍ ବାହାରିବା, ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮,୧୦୬ରେ ପହଞ୍ଚିଛି । ତେବେ ୫,୫୦୨ ସୁସ୍ଥ ହୋଇଥିବା ବେଳେ ୨ ହଜାର ୫୬୭ ସକ୍ରିୟ ରୋଗୀ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ସାବଧାନ ନରହିଲେ ପରିସ୍ଥିତି ଆହୁରି ବିଗିଡିଯିବ ବୋଲି ସତର୍କ କରାଇ ଦେଇଛନ୍ତି ରାଜ୍ୟ ସରକାର ।

ପ୍ରଥମ ୧ ହଜାର କରୋନା ଆକ୍ରାନ୍ତଙ୍କ ପାଇଁ ୬୪ ଦିନ ଲାଗିଥିବା ବେଳେ ଗତ ୩ ଦିନରେ ୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନଜର ପକାନ୍ତୁ କିପରି ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ଆକ୍ରାନ୍ତ ସଂଖ୍ୟା ।

ଓଡ଼ିଶାରେ କରୋନା ସ୍ଥିତି
୧ - ୧୦୦୦ --- ୬୪ଦିନ
୧୦୦୦ - ୨୦୦୦ --- ୧୨ଦିନ
୨୦୦୦ - ୩୦୦୦ --- ୮ଦିନ
୩୦୦୦ - ୪୦୦୦ --- ୭ଦିନ
୪୦୦୦ - ୫୦୦୦ --- ୬ଦିନ
୫୦୦୦ - ୬୦୦୦ --- ୬ଦିନ
୬୦୦୦ - ୭୦୦୦ --- ୪ଦିନ
୭୦୦୦ - ୮୦୦୦ --- ୩ଦିନ

ଘର ଘର ବୁଲି ଯାଂଚ କାର୍ଯ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ । ଲକ୍ଷଣ ଥିଲେ ନ ଲୁଚାଇବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ସରକାର । ତେବେ ଗତ ୨୪ ଘଂଟା ଭିତରେ ୨ ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୯ରେ ପହଚିଂଛି । ଦୁଇ ଜଣ ଯାକ ମୃତକ ଗଂଜାମ ଜିଲ୍ଲାର ।