ରାଜ୍ୟରେ ୬ ହଜାର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ, ୭ଜଣ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୨ ମାମଲା

୩୫ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

397

କନକ ବ୍ୟୁରୋ :ରାଜ୍ୟରେ କରୋନାର ଦୈନିକ ସଂକ୍ରମଣର ନୂଆ ରେକର୍ଡ । ଲଗାତର ୪ ଦିନ ଧରି ୪ ହଜାର ଉପରେ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଅଚାନକ ଏହି ସଂଖ୍ୟା ୬ ହଜାର ପାର କରିଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୧୬୪ ଜଣରେ କରୋନାରେ ସଂକ୍ରମିତ ହୋଇଛନ୍ତି ।

ମୋଟ ୬ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟିନରୁ ୩ ହଜାର ୫୭୫ ଜଣ ଓ ସ୍ଥାନୀୟ ସଂକ୍ରମିତ ୨ ହଜାର ୫୮୯ଜଣ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ଦୃଷ୍ଟିରୁ ପୁଣି ଖୋର୍ଦ୍ଧ ଜିଲ୍ଲା ଆଗରେ ରହିଛି । ଏଠାରେ ସର୍ବାଧିକ ୧ ହଜାର ୧୩୨ ନୂଆ ମାମଲା ଚିହ୍ନଟ ହୋଇଛି । ନୂଆପଡାରେ ଦ୍ୱିତୀୟ ସର୍ବାଧିକ ୪୫୯, କଳାହାଣ୍ଡିରେ ୪୫୨, ସୁନ୍ଦରଗଡରେ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗୋଟିଏ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡାରୁ ୨ ଜଣ ଲେଖାଏଁ ଏବଂ କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ୧୩ଟି ଜିଲ୍ଲାରୁ ୨୦୦ରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର ବିଷୟ । ଏହି ସମୟ ମଧ୍ୟରେ ୨ହଜାର ୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ୭୫ରେ ପହଂଚିଛି ।