କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୬ହଜାରରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୯ଶହ୫୦ ସଂକ୍ରମିତ, ସୁନ୍ଦରଗଡ଼ରୁ ୬ଶହ୮୪ ଓ କଳାହାଣ୍ଡି ୬ଶହ ୮୨ ଆକ୍ରାନ୍ତ

୧୪ଟି ଜିଲ୍ଲାରେ ତିନି ଅଙ୍କ ଉପରେ ସଂକ୍ରମିତଙ୍କ ସଂଖ୍ୟା; ୨୨ଦିନରେ ଚିହ୍ନଟ ହେଲେଣି ୫୩ହଜାର ୬ଶହ ୭୮ ଆକ୍ରାନ୍ତ

297

କନକ ବ୍ୟୁରୋ : କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ୬ହଜାରରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ । ୨୪ଘଂଟା ଭିତରେ ରାଜ୍ୟରୁ ୬ହଜାର ୨ଶହ ୧୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬ଶହ ୧୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସଂକ୍ରମିତ ଚିହ୍ନଟ ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ରହିଛି ସବୁଠୁ ଆଗରେ ।

ଖୋର୍ଦ୍ଧାରୁ ୯ଶହ୫୦ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୬ଶହ ୮୨ଜଣ, ନୂଆପଡ଼ାରୁ ୪ଶହ ୪୬, କଟକରୁ ୩ଶହ ୮୩, ସୁନ୍ଦରଗଡ଼ରୁ ୬ଶହ ୮୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୨ଶହ ୫୭, ଝାରସୁଗୁଡ଼ାରୁ ୨ଶହ ୬୧, ପୁରୀରୁ ୩ଶହ ୬, ସମ୍ବଲପୁରରୁ ୨ଶହ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ଘଂଟା ଭିତରେ ୨ହଜାର ଶହେ ୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯୪ହଜାର ୬ଶହ ୯୪କୁ ବୃଦ୍ଧି ହୋଇଛି ।

ଏମାନଙ୍କ ମଧ୍ୟରୁ ୩ଲକ୍ଷ ୫୩ହଜାର ୫ଶହ ୫୧ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୩୯ହଜାର ଶହେ ୧୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କରୋନା କାରଣରୁ ଆଜି ରାଜ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ବଲାଙ୍ଗିର, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଂଜାମ ଓ କଳାହାଣ୍ଡିରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।