ରାଜ୍ୟରେ ବଢୁଛି କରୋନା ମୃତ୍ୟୁ : ଦିନକରେ ୪୨ ଜଣଙ୍କ ଜୀବନ ନେଲା ମହାମାରୀ

143

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ୪୨ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫କୁ ବୃଦ୍ଧି ପାଇଛି ।

ସୁନ୍ଦରଗଡ଼ ତଳକୁ ରହିଛନ୍ତି କଳାହାଣ୍ଡି ଓ କଟକ । ଏହି ଦୁଇଟି ଜିଲ୍ଲାରେ ୪ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ବୌଦ୍ଧ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ରାୟଗଡ଼ା, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଗଜପତି, ଦେବଗଡ଼, ବଲାଙ୍ଗୀର, ବାଲେଶ୍ବର ଓ ଅନୁଗୁଳ ଜିଲ୍ଲାରେ ୨ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ବରଗଡ଼, ଭଦ୍ରକ, ଗଂଜାମ, ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସେହିପରି ଗୋଟିଏ ଦିନରେ ୮୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪ ହଜାର ୯୪୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩ ହଜାର ୮୯୧ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ଶହ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଂଜରୁ ୫୮୩, ଢ଼େଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩, ପୁରୀରୁ ୪୩୮, ଅନୁଗୁଳରୁ ୪୧୪, ଭଦ୍ରକରୁ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଚିନ୍ତା ବଢ଼ାଉଛନ୍ତିି ଖୋର୍ଦ୍ଧା, କଟକ, ମୟୂରଭଂଜ, ଢ଼େଙ୍କାନାଳ, ଯାଜପୁର ଜିଲ୍ଲା । ଏଠି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।