ସହିଦକୁ ଝୁରୁଛି ପରିବାର…ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ, ବୀର ଯବାନଙ୍କୁ ମନେ ପକାଉଛନ୍ତି ସହିଦ ରାଜକିଶୋରଙ୍କ ପରିବାର ।

132

କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧକୁ ପୁରିଲା ୨୨ ବର୍ଷ । ଦେଶବାସୀ ଆଜି ବିଜୟ ଦିବସ ପାଳିଛନ୍ତି । ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିଥିଲେ ଭାରତୀୟ ସେନା । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଚୌଦ୍ୱାରର ବୀର ଯବାନ ରାଜକିଶୋରଙ୍କୁ ମନେ ପକାଉଛନ୍ତି ପରିବାର ।

ଦେଶ ସୁରକ୍ଷାରେ ନିଜକୁ ଉତ୍ସର୍ଗ କରିଛନ୍ତି ଚୌଦ୍ୱାରର ରାଜ କିଶୋର ସାହୁ । ମାତ୍ର ୧୮ବର୍ଷ ବୟସରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଏହି ଯୋଦ୍ଧା କାର୍ଗିଲ ଯୁଦ୍ଧରେ ଶତ୍ରୁପକ୍ଷର କଡା ମୁକାବିଲା କରିଥିଲେ । ପ୍ରଥମେ ଏୟାର ମ୍ୟାନ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ପଦୋନ୍ନତି ପାଇ ଫ୍ଲାଇଟ୍ ଇଂଜିନିୟର ହୋଇ କାର୍ଯ୍ୟ କରୁଥିଲେ । ୧୯୯୯କାରଗିଲ ଯୁଦ୍ଧରେ ପାକିସ୍ଥାନୀ ସ୍ଥଳ ସେନାଙ୍କ କମାଣ ମାଡରେ ମେ’୨୮ ତାରିଖରେ ୪ ଜଣ ଯବାନକୁ ନେଇ ଯାଉଥିବା ହେଲିକାପ୍ଟର ଧ୍ୱଂସ ହୋଇଯାଇଥିଲା । ଆଉ ଏଥିରେ ସହିଦ ହୋଇଥିଲେ ରାଜକିଶୋର । ସହିଦ ଯବାନଙ୍କୁ ସମ୍ମାନ ଦେବାପାଇଁ ସରକାର ଭୁବନେଶ୍ୱରରେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦେଇଥିବା ପ୍ରତିଶୃତି ୨୨ ବର୍ଷ ପରେ ମଧ୍ୟ ପୂରଣ ହୋଇପାରିନାହିଁ ବୋଲି କହିଛନ୍ତି ସହିଦଙ୍କ ବାପା ।

ଦେଶମାତୃକାର ସେବା କରୁକରୁ ସହିଦ ହୋଇଯାଇଥିବା ରାଜକିଶୋରଙ୍କୁ ଝୁରୁଛନ୍ତି ବାପା, ମା ଓ ଜନ୍ମମାଟି । ଘରର ଗେହ୍ଲା ପୁଅ ରାଜକିଶୋର ପାଇଁ ଅଗଣିତ ସ୍ୱପ୍ନ ବୁଣିଥିଲେ ପରିବାର । କିନ୍ତୁ ମାତ୍ର ୨୮ବର୍ଷ ବୟସରେ ସେ ଦେଶମାତୃକାର ସେବା ପାଇଁ ବଳିଦାନ ଦେଲେ । ଆଉ ଅଧାରେ ରହିଗଲା ସବୁ ସ୍ୱପ୍ନ । କାର୍ଗିଲ ଯୁଦ୍ଧକୁ ୨୨ବର୍ଷ ବିତିଛି । ହେଲେ ଏହାରି ଭିତରେ ତାଙ୍କ ପରିବାର କଥା ଭୁଲିଯାଇଛନ୍ତି ସରକାର ।