କନକ ବ୍ୟୁରୋ : ଆଜି ଆଉ ୬୦ କରୋନା ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଗତ କିଛି ଦିନ ଧରି ଲଗାତର ଭାବେ ମୃତ୍ୟୁ ସଂଖ୍ୟା ୬୦ଉପରେ ରହୁଛି । ଦ୍ୱିତୀୟ ଲହର ହ୍ରାସ ପାଇଛି ଏବଂ ଦୈନିକ ସଂକ୍ରମଣ ମଧ୍ୟ ବେଶ କମିଛି । ହେଲେ ସରକାର ଦେଉଥିବା ଦୈନିକ ମୃତ୍ୟୁ ସଂଖ୍ୟାର ହିସାବ କିନ୍ତୁ କମିବାର ନାଁ ଧରୁନି । ଜୁଲାଇ ୨୧ତାରିଖରୁ ଲଗାତର ଭାବେ ପ୍ରତିଦିନ ୬୦ରୁ ୭୦ଲୋକଙ୍କର ମୃତ୍ୟୁର କଥା ସାମ୍ନାକୁ ଆସୁଛି । ଅଗଷ୍ଟ ୧ରୁ ୧୩ଭିତରେ ୮୫୫ ଜଣଙ୍କର ମୃତ୍ୟୁ କଥା ସରକାର ଜଣାଇସାରିଲେଣି ।

Advertisment

ପ୍ରଶ୍ନ ଆସୁଛି ଏମିତି ଆଉ କେତେ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସରକାରଙ୍କ ମୃତ୍ୟୁର ଅଡିଟ ଏମିତି କେତେଦିନ ଚାଲିଥିବ । ଆଉ କେତେ ଦିନ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସଂଖ୍ୟା ୬୦ରୁ ୭୦ଭିତରେ ରହୁଥିବ । ଗୋଟିଏ ପଟେ ଆତ୍ମୀୟ ସ୍ୱଜନଙ୍କୁ କରୋନାରେ ହରାଇ ପରିବାର ଗୁଡିକର ମାନସିକ ଅବସ୍ଥା କେମିତି ଅଛି ସେ କଥା ଆମେ ଜାଣୁଛେ । ଅନ୍ୟପଟେ ମୃତ୍ୟୁ, ଶୁଦ୍ଧିକ୍ରିୟା ଏସବୁ ଧାର୍ମିକ ବିଶ୍ୱାସ ଓ ପରମ୍ପରା ସହିତ ଜଡିତ ହୋଇ ରହିଥିବାରୁ ମୃତକଙ୍କ ସମ୍ପର୍କରେ ଘୋଷଣା ବେଳେ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ଓ ଅଧିକ ସମ୍ବେଦନଶୀଳତା ରହିବାର ଆବଶ୍ୟକତା ରହିଛି ।