କନକ ବ୍ୟୁରୋ : ଓଡ଼ିଶା ବିଜିନେସ ଉଇକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଯୋଗଦେଇ କହିଛନ୍ତି ବିକାଶରେ ଭେଦାଭାବ ରହିବା ଉଚିତ୍ ନୁହେଁ । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ବିକାଶ କଥା ଚିନ୍ତା କରିବା କଥା । ଓଡ଼ିଆ ପ୍ରଶାସନିକ ଅଧିକାରୀ ମାନେ ଦିଲ୍ଲୀ ଗଲେ ଓଡ଼ିଶା ବିଷୟରେ କିଛି କୁହନ୍ତି ନାହିଁ । ଯେଉଁଥିପାଇଁ ଦିଲ୍ଲୀରେ ଥିବା ଓଡ଼ିଆ ଅଫିସରମାନେ ଦୁଃଖ ପ୍ରକାଶ କରନ୍ତି । ଅନ୍ୟ ରାଜ୍ୟ ଦିଲ୍ଲୀରେ ଦାବି ରଖି କୋଟି ଟଙ୍କା ନେଇ ତାଙ୍କ ରାଜ୍ୟର ବିକାଶ କରୁଥିବା ବେଳେ ଓଡ଼ିଶା ଏକ୍ଷେତ୍ରରେ ପଛରେ ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅତିତରେ କିଛି ହାତ ଗଣତି ଓ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ଆମେ ବେଶୀ ଆଗେଇ ପାରିନାହୁଁ ।
ସେହିପରି ନିଯୁକ୍ତି ପ୍ରସଙ୍ଗ ଉଠାଇ ବିଶେଶ୍ୱର ଟୁଡ଼ୁ କହିଛନ୍ତି ପ୍ରବାସୀ ଓଡ଼ିଆ ଫେରିବା ପରେ ନିଯୁକ୍ତିର ଅସଲ ଚିତ୍ର ଜଣାପଡ଼ିଲା । ନିଯୁକ୍ତି ଅଭାବରୁ ଲୋକେ ବାହାରକୁ କାମ କରିବାକୁ ଯାଉଛନ୍ତି । ଖଣି ଖାଦନ, ଜଙ୍ଗଲ ସମ୍ପଦ ଥିବା ସତ୍ୱେ ତାକୁ ବ୍ୟବହାର କରାଯାଇପାରୁନି । ଇଛାଶକ୍ତି ଅଭାବରୁ ଯାହା ହେବାକଥା ହୋଇପାରୁନାହିଁ । ତେବେ ପର୍ଯ୍ୟଟନରୁ ଆରମ୍ଭ କରି କୃଷି କ୍ଷେତ୍ର ଯାଏଁ ବିକାଶ ପାଇଁ ଆବଶ୍ୟକ ସହାୟତା ସେ ଯୋଗାଇ ଦେବେ ବୋଲି କହିଛନ୍ତି ।