କରୋନା ସଂକ୍ରମଣରେ ଓଡ଼ିଶାରେ ରେକର୍ଡ । ଗୋଟିଏ ଦିନରେ ୩୦୪ ଆକ୍ରାନ୍ତ, ୧୫ରୁ ୪୦ ଭିତରେ ସର୍ବାଧିକ ଆକ୍ରାନ୍ତ । ଗତ ୬ ଦିନରେ ବଢ଼ିଛି ହଜାରେ ସଂକ୍ରମଣ, ୫ ହଜାର ଟପିଲା ମୋଟ ସଂକ୍ରମଣ ସଂଖ୍ୟା ।

342

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ ଛୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ସଂଗରୋଧ କେନ୍ଦ୍ରରୁ ଓ ୩୨ ଜଣ ସ୍ଥାନୀୟ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହା ସହ ୨ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହୋଇଛି ।

ବର୍ତମାନ ରାଜ୍ୟରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ତାଲିକାରେ ରହିଛି ୧୫ଟି ଜିଲ୍ଲା । ସବୁଠାରୁ ଅଧିକ ଆକ୍ରାନ୍ତ ତାଲିକାର ଶୀର୍ଷରେ ରହିଛି ଗଂଜାମ ଏବଂ ତା ପଛକୁ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ଗଜପତି ଓ ପୁରୀ ଜିଲ୍ଲା । ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁଠୁ ଆଗରେ ରହିଛି ଗଂଜାମ ଜିଲ୍ଲା । ଏଠାରେ ବର୍ତମାନ ସୁଦ୍ଧା ୭ ଜଣ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରେ ୩ ଜଣ, ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ କଟକ, ପୁରୀ ଓ ବରଗଡରୁ ଜଣେ ଲେଖାଏଁ କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏଯାଏଁ ପ୍ରାଣ ହରାଇଥିବା ୧୪ ଜଣଙ୍କ ମଧ୍ୟରୁ ଗତ ଏପ୍ରିଲ ମାସରେ ଜଣେ, ମେ ମାସରେ ୫ ଜଣ ଓ ଜୁନ୍ ମାସରେ ବର୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ବେଶ୍ ତୀବ୍ରଗତିରେ ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଏଯାଏଁ ପ୍ରଥମ ଏକ ହଜାର କରୋନା ଆକ୍ରାନ୍ତ ହେବା ପାଇଁ ୬୫ ଦିନ ସମୟ ଲାଗିଥିବା ବେଳେ ଦ୍ୱିତୀୟ ହଜାର ପାଇଁ ୧୨ ଦିନ ସମୟ ଲାଗିଥିଲା । ଅନ୍ୟପଟେ ତୃତୀୟ ହଜାର ଆକ୍ରାନ୍ତ ଚିହ୍ନଟ ହେବା ପାଇଁ ୯ ଦିନ, ଚତୁର୍ଥ ହଜାର ପାଇଁ ୭ ଦିନ ସମୟ ଲାଗିଥିବା ବେଳେ ପଂଚମ ହଜାର ପାଇଁ ମାତ୍ର ୬ ଦିନ ସମୟ ଲାଗିଛି ।

ଏହାସହ ଚଳିତ ମାସର ୨୧ ଦିନ ମଧ୍ୟରେ ୩୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ଏବଂ ୨୬୫୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତି ସର୍ବାଧିକ ୭୧.୭ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ୪୧ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତି ୨୨.୨ ପ୍ରତିଶତ ଆକ୍ରାନ୍ତ ଥିବା ବେଳେ ୬୦ ବର୍ଷରୁ ଅଧିକ ବୟସ୍କ ସର୍ବନିମ୍ନ ୨.୮ ପ୍ରତିଶତ ଆକ୍ରାନ୍ତ ହୋଇଥିବା ହିସାବରୁ ଜଣାପଡିଛି ।