ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର । ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ପୁରସ୍କୃତ

296

କନକ ବ୍ୟୁରୋ : ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡିଶାକୁ ପୁରସ୍କୃତ କରିଥିଲେ ।

ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ ଏହି ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ । ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରକୁ ନିଆଯାଇଥିବାବେଳେ ୫ଟି ବର୍ଗ ମଧ୍ୟରୁ ଓଡିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି । ଜାଗା ମିଶନ କ୍ଷେତ୍ରରେ ଆଇନର ସଫଳ ରୂପାୟନ, ନୀତି ପ୍ରଣୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଛି ।

ଓଡିଶା କାର୍ଯ୍ୟକାରୀ କରିଥିବା ବସ୍ତି ବାସିନ୍ଦାଙ୍କୁ ଜମିର ସତ୍ୱାଧିକାର ନିୟମ-୨୦୧୭ କାର୍ଯ୍ୟକାରୀ କରାଇବା ଏବଂ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ ବସ୍ତିଗୁଡିକର ବିକାଶ ପାଇଁ ଏହି ପୁରସ୍କାର ମିଳିଛି । ଗୃହ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ସହରାଞ୍ଚଳରେ ପାଇପ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ‘ବେଷ୍ଟ ସିଭିକ ଏଜେନ୍ସି’ ପୁରସ୍କାର ପାଇଛି । ବିକେନ୍ଦ୍ରୀକରଣର ଭି.ରାମଚନ୍ଦ୍ରନଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡିକ ପ୍ରଦାନ କରାଯାଇଥାଏ ।