କାହିଁକି ବିଫଳ ହେଲା ଗ୍ଲୋବାଲ ଟେଣ୍ଡର, ସ୍ପଷ୍ଟ କଲେ ଡିଏମଇଟି । କହିଲେ, ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

278

କନକ ବ୍ୟୁରୋ : ରାଜ୍ୟ ସରକାର ବାହାର ଦେଶରୁ ଟିକା ମଗାଇବାକୁ ନେଇ ଗ୍ଲୋବାଲ ଟେଣ୍ଡର କରିବା ପ୍ରସଙ୍ଗରେ ମତ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଟିକା ପାଇଁ ଚେଷ୍ଟା କରିବା କଣ ଭୁଲ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ଡିଏମଇଟି କହିଛନ୍ତି ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହଁ ଯେ ଆମେ ପାଇବୁ । ବର୍ତ୍ତମାନ ପରବର୍ତ୍ତୀ ପରିସ୍ଥିତିକୁ ଦେଖି କଣ କରାଯାଇପାରିବ ସେ ଦିଗରେ କାମ କରିବାର ରହିଛି ବୋଲି ସେ କହିଛନ୍ତି ।

ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ଅନେକ କଟକଣା ରହିଥିବାରୁ ଏହି ଉଦ୍ୟମ ବିଫଳ ହୋଇଥିଲା । ଏବେ କଟକଣା କୋହଳ ପରେ ଆମ ନିକଟରେ ପୁଣି ଥରେ ଏକ ସୁଯୋଗ ରହିଛି । ବର୍ତମାନ ଗ୍ଲୋବାଲ ଟେଣ୍ଡରକୁ ନେଇ କଣ କରାଯିବ କୁହାଯାଇପାରିବ ନାହିଁ । ଆଗକୁ ଏହା ରି-ଟେଣ୍ଡର ହେବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ।

କରୋନାର ତୃତୀୟ ଲହରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ବହୁତ ସଂକ୍ରମଣରେ ଅନେକ ଗୁଡିଏ ୱେଭ୍ ଆସିବାର ନଜିର ରହିଛି । ମାତ୍ର ତୃତୀୟ ଲହର କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ, ତାହା ଏବେ ଠାରୁ କହିବା ମୁସ୍କିଲ ବୋଲି କହିଛନ୍ତି ଡିଏମଇଟି । ତଥାପି ରାଜ୍ୟ ସରକାର ତୃତୀୟ ଲହର ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । କରୋନାର ତୃତୀୟ ଲହର ମୁକାବିଲା ପାଇଁ ଭିତିଭୂମି, ଅକ୍ସିଜେନ, ମେଡିସିନ, ସବୁ ମହଜୁଦ୍ ଥିବା କହିଛନ୍ତି ଡିଏମଇଟି ।