ରସଗୋଲାକୁ ନେଇ ଆସିଲା ମିଠା ଖବର । ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍

497

କନକ ବ୍ୟୁରୋ : ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଦୀର୍ଘଦିନରୁ ରାଜ୍ୟ ସରକାର ଦାବି କରି ଆସୁଥିବା ବେଳେ ଏବେ ଓଡ଼ିଶା ରସଗୋଲା ଭାବେ ଜିଆଇ ମାନ୍ୟତା ମିଳିଛି । ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଓଡ଼ିଶା ରସଗୋଲାକୁ ମାନ୍ୟତା ଦିଆଯାଇଥିବା ବେଳେ ଏହାର ପ୍ରମାଣପତ୍ର ମଧ୍ୟ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ଆବେଦନ କରାଯାଇଥିଲା ।

ଏହାପୂର୍ବରୁ ପଶ୍ଚିମବଙ୍ଗ ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଥିଲା । ବାଂଲା ରସଗୋଲା ଭାବେ ଏହାକୁ ଜିଆଇ ଟ୍ୟାଗ୍ ମିଳିଥିଲା । ତେବେ ଏଥିରେ ରାଜ୍ୟ ସରକାର ଅସନ୍ତୋଷ ଜାହିର କରିବା ସହ ଓଡ଼ିଶା ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ଦେବାକୁ ଦାବି କରିଥିଲେ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଏକ କମିଟି ମଧ୍ୟ ଗଠନ କରିଥିଲେ ରାଜ୍ୟ ସରକାର । ଆଉ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଦାବି ପରେ ଓଡ଼ିଶା ରସଗୋଲା ଉପରେ ଜିଆଇ ଟ୍ୟାଗର ମୋହର ବାଜିଛି ।

ଓଡ଼ିଶାରେ କାହିଁ କେଉଁ କାଳରୁ ରସଗୋଲା ପ୍ରସ୍ତୁତ ହୋଇଆସୁଛି । ଏପରିକି ନିଳାଦ୍ରୀ ବିଜେ ସମୟରେ ମାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତୁଷ୍ଟ କରିଥାନ୍ତି । ସେହି ଦୃଷ୍ଟିରୁ ଓଡିଶାରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ ରସଗୋଲା ଦିବସ ପାଳିତ ହୋଇଆସୁଛି । ଜଗନ୍ନାଥ ସଂସ୍କୃତିରେ ଏହାର ବେଶ ଗୁରୁତ୍ୱ ରହିଛି । ତେବେ ରସଗୋଲାକୁ ପଶ୍ଚିମବଙ୍ଗ ହାଇଜାକ କରିବାକୁ ଯେତେବେଳେ ଅଣ୍ଟା ଭିଡିଥିଲା ସେତେବେଳେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । ମମତା ସରକାର ଏହା ପୂର୍ବରୁ ବାଂଲା ରସଗୋଲା ନାମରେ ଜିଆଇ ଟ୍ୟାଗ୍ ହାସଲ କରିଥିବା ବେଳେ ଏବେ ଓଡିଶା ମଧ୍ୟ ଓଡ଼ିଶା ରସଗୋଲା ନାମରେ ଜିଆଇ ମାନ୍ୟତା ହାସଲ କରିଛି ।