ଆଗ୍ରହରେ ଟିକା ନେଉଛି ଓଡିଶା: ୭ଦିନରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା; ସାରା ଦେଶରେ କରୋନା ଟିକାକରଣରେ ଓଡିଶା ତୃତୀୟ

ଆଗ୍ରହରେ ଟିକା ନେଉଛି ଓଡିଶା: ୭ଦିନରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା; ସାରା ଦେଶରେ କରୋନା ଟିକାକରଣରେ ଓଡିଶା ତୃତୀୟ

କନକ ବ୍ୟୁରୋ: କରୋନା ଟିକାକୁ ନେଇ କାଁ ଭାଁ କେତେକ ସ୍ଥାନରେ ଅବିଶ୍ୱାସର ଖବର ଭିତରେ ଓଡିଶାରୁ ଆସିଛି ଉତ୍ସାହଜନକ ଖବର । କରୋନା ଟିକା ନେବାରେ ସାରାଦେଶରେ ତୃତୀୟ ଓଡିଶା । ଗତ ୭ ଦିନରେ ରାଜ୍ୟରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରେ ତୃତୀୟରେ ରହିଛି ଓଡିଶା । ଗତ ୭ ଦିନ ଭିତରେ କର୍ଣ୍ଣାଟକରେ ସର୍ବାଧିକ ୧  ଲକ୍ଷ ୮୨ ହଜାର ୫୦୩ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ସେହିପରି ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ୧ ଲକ୍ଷ ୨୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି । ସେହିପରି ଓଡିଶା ପଛକୁ ତେଲେଙ୍ଗାନା ରହିଛି । ଏଠାରେ ଗତ ୭ ଦିନରେ ୧ ଲକ୍ଷ ୨ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

ଅପର ପକ୍ଷରେ, ରାଜ୍ୟରେ ଉପଲବ୍ଧ ହେଉଥିବା ଦୁଇ ପ୍ରକାର ଟିକା ମଧ୍ୟରୁ ଗତକାଲି ୧୫୨୪୭ଜଣଙ୍କୁ ‘କୋଭିସିଲ୍‌ଡ’ ଓ ୧୧୩୭ଜଣଙ୍କୁ ‘କୋଭାକ୍ସିନ୍’ ଟିକା ଦିଆଯାଇଥିଲା । ଏହାସହ ବରଗଡ଼ ଜିଲ୍ଲାରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ(୫୯) ଟିକା ନେଇ ଅସୁସ୍ଥ ହୋଇ ପଡ଼ିଥିଲେ।  ତାଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ବେଳେ ‌ମହିଳାଜଣକ ଏବେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୧୬ଜଣଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ସେପଟେ ଆଜି ୨୨୧ ଅଧିବେଶନରେ ସମୁଦାୟ ୨୦,୩୩୦ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି। ଅପରପକ୍ଷରେ ରାଜ୍ୟରେ ଯେଉଁ ସିଏଚ୍‌ସିଗୁଡ଼ିକରେ ନିୟମିତ ଟିକାଦାନ ହେଉଛି, ସେଠାରେ ସପ୍ତାହକୁ ୩ଦିନ ଟିକାକରଣ କରାଯିବ। ମାତ୍ର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସପ୍ତାହକୁ ୬ଦିନ ଟିକାଦାନ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe