କୋଭିଡ୍ ଟେଷ୍ଟରେ ରେକର୍ଡ କଲା ଓଡ଼ିଶା । କରୋନା ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଓଡିଶା । ପ୍ରତି ୧୦ଲକ୍ଷରେ ଦୈନିକ ଅଧିକ କୋଭିଡ୍ ଟେଷ୍ଟ କରି ଦେଶର ବଡ ବଡ ରାଜ୍ୟକୁ ପଛରେ ପକାଇଲା ରାଜ୍ୟ

251

କନକ ବ୍ୟୁରୋ: କୋଭିଡ୍ ଟେଷ୍ଟରେ ରେକର୍ଡ କଲା ଓଡ଼ିଶା । ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ଅଧିକ କରୋନା ପରୀକ୍ଷା କରି ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଦେଲା ଓଡ଼ିଶା । କେବଳ ଗୋଆକୁ ଛାଡ଼ି ଦେଲେ ଓଡ଼ିଶା କରୋନା ପରୀକ୍ଷାରେ ୨ ନମ୍ବର ସ୍ଥାନ ହାସଲ କରିଛି । ସେହିପରି ମୃତ୍ୟୁହାର କମ କରିବାରେ ବି ଓଡ଼ିଶା ଜାତୀୟ ସ୍ତରରେ ରେକର୍ଡ କରିଛି । ତେବେ ସୁସ୍ଥହାରରେ କିନ୍ତୁ ପଛରେ ପଡ଼ିଯାଇଛି ରାଜ୍ୟ ।

ବଡ଼ ବଡ଼ ରାଜ୍ୟଗୁଡିକୁ ପଛରେ ପକାଇ ପ୍ରତି ୧୦ ଲକ୍ଷରେ ଅଧିକ କରୋନା ପରୀକ୍ଷା କରୁଛି ଓଡ଼ିଶା । କେବଳ ଗୋଆକୁ ଛାଡ଼ି ଦେଲେ ଓଡ଼ିଶା କରୋନା ପରୀକ୍ଷାରେ ୨ ନମ୍ବର ସ୍ଥାନ ହାସଲ କରିଛି । ଟ୍ୱିଟ୍ କରି ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ନଜର ପକାନ୍ତୁ କେଉଁ ରାଜ୍ୟରେ ହେଉଛି କେତେ ପରୀକ୍ଷା?

୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ଗୋଆ – ୧୮୨୬ ଟେଷ୍ଟ କରୁଛି

ଗୋଆ ତଳକୁ ୨ ନମ୍ବରରେ ରହିଛି ଓଡ଼ିଶା, ଓଡ଼ିଶା ରେ ହୋଇଛି – ୧୨୬୫ ଟେଷ୍ଟ

ତୃତୀୟରେ ରହିଛି ଦିଲ୍ଲୀ, ଦିଲ୍ଲୀ ରେ ହୋଇଛି – ୧,୧୧୧ ପରୀକ୍ଷା

ସେହିପରି ବଡ଼ ରାଜ୍ୟ ମଧ୍ୟରେ କର୍ଣ୍ଣାଟକ ରେ ଦିନକୁ ୧୦ ଲକ୍ଷ ଜନସଂଖ୍ୟାରେ ହୋଇଛି ୯୨୭ ଟେଷ୍ଟ
ତାମିଲନାଡୁରେ – ୯୧୮

ଉତ୍ତରପ୍ରଦେଶ ରେ ହୋଇଛି – ୬୩୦ କରୋନା ପରୀକ୍ଷା

ତେବେ ଗୁଜରାଟ ରେ – ୬୨୦ ଟେଷ୍ଟ ହୋଇଥିବା ବେଳେ ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ରେ ଦିନକୁ ୧୦ ଲକ୍ଷ ଜନସଂଖ୍ୟାରେ କରାଯାଇଛି ୫୭୯ ଟେଷ୍ଟ । ସେହିଭଳି ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟ ଭଳି ବିକଶିତ ରାଜ୍ୟଗୁଡିକ ମଧ୍ୟ କୋଭିଡ୍ ପରୀକ୍ଷାରେ ଓଡ଼ିଶା ତୁଳନାରେ ଢ଼େର ପଛରେ ପଡ଼ି ଯାଇଛନ୍ତି ।

୨୦ ଅଗଷ୍ଟ ସୁଦ୍ଧା ଦେଶରେ ୩ କୋଟି ୩୪ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ୨୯ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସକ୍ରୀୟ ରୋଗୀ ଅଛନ୍ତି ୬ ଲକ୍ଷ ୯୨ ହଜାର । ଏବଂ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ପ୍ରାୟ ୨୧ ଲକ୍ଷ ୫୯ ହଜାର ରୋଗୀ । ଦେଶର ସୁସ୍ଥ ହାର ରହିଛି ୭୪.୪୩ ପ୍ରତିଶତ । ମୃତ୍ୟୁହାର ୧.୮୯ ପ୍ରତିଶତକୁ ଖସି ଆସିଛି । ତେବେ ଓଡ଼ିଶାରେ ମୋଟ ୧୧ଲକ୍ଷ ୭୨ ହଜାର ୪୨୬ ଟେଷ୍ଟ ହୋଇଛି । ଓଡ଼ିଶାର ପଜିଟିଭ ହାର ୬.୨ ପ୍ରତିଶତ ଥିବା ବେଳେ, ସୁସ୍ଥ ହାର ୬୭ ପ୍ରତିଶତ ଏବଂ ମୃତ୍ୟୁହାର ରହିଛି ୦.୫୪ ପ୍ରତିଶତ ।