ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ : ଜାଣନ୍ତୁ ଦାରିଦ୍ର୍ୟ ତାଲିକାରେ କେତେ ସ୍ଥାନରେ ରହିଛି ଓଡିଶା ?

724

କନକ ବ୍ୟୁରୋ : ଓଡ଼ିଶାରେ ପ୍ରତି ତିନି ଜଣରେ ଜଣେ ଗରିବ । ୧୦୦ ଜଣରେ ୨୯ ଜଣ ଦାରିଦ୍ର୍ୟ ସୀମାରେଖା ଭିତରେ ଅଛନ୍ତି । ନୀତି ଆୟୋଗ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ବିହାରରେ ଦାରିଦ୍ର୍ୟ ହାର ପୂର୍ବପରି ସବୁଠାରୁ ଅଧିକ ରହିଥିବା ବେଳେ ନବମ ସ୍ଥାନରେ ରହିଛି ଓଡ଼ିଶା । ଦାରିଦ୍ର୍ୟ କ୍ଷେତ୍ରରେ ଜାତୀୟ ହାର ୨୫.୦୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୨୯ ଦଶମିକ ୩୫ ପ୍ରତିଶତ ରହିଛି । ପୂର୍ବ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାର ଦାରିଦ୍ର୍ୟ ହାର ୩୨. ୫୯ ପ୍ରତିଶତ ଥିଲା ।

ସେତେବେଳେ ୧୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିଲା । ଏବେ ପ୍ରକାଶ ପାଇଥିବା ରିପୋର୍ଟରେ ରାଜ୍ୟର ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଦାରିଦ୍ର୍ୟ ହାରରେ ବିଶେଷ କିଛି ପରିବର୍ତନ ହୋଇନାହିଁ । ଦେଶରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଶୂନ ଦଶମିକ ୧୧୮ ରହିଛି । ଓଡ଼ିଶା କ୍ଷେତ୍ରରେ ଏହା ଶୂନ ଦଶମିକ ୧୩୬ । ଏହି ସୂଚୀ ରାଜ୍ୟର ମୋଟ୍ ଗରିବ ଲୋକଙ୍କ ସଂଖ୍ୟା ଏବଂ ଗରିବଙ୍କ ମାତ୍ରାକୁ ନେଇ ପ୍ରସ୍ତୁତ କରାଯାଇଛି । ଜାତୀୟସ୍ତରରେ ସହରାଂଚଳର ସ୍ଥିତି ତୁଳନାରେ ଓଡ଼ିଶାରେ ସହରାଂଚଳ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି ।

ଓଡ଼ିଶାର ୨୯.୩୫% ଜନତା ବିଭିନ୍ନ କ୍ଷେତ୍ରରେ ଦାରିଦ୍ର୍ୟ ତାଡ଼ନାରେ ସରବ୍ୟ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ରାଜ୍ୟର ୩୭.୨୬% ଜନତା ସୁଷମ ଆହାର ପାଉନାହାନ୍ତି । ରାଜ୍ୟରେ ଶିଶୁ ଓ କିଶୋର ମୃତ୍ୟୁହାର ମଧ୍ୟ ୨.୨୩% ରହିଛି । ସେହିପରି, ମାନସିକ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ୧୯.୫୦% ଜନତା ବଞ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ସ୍କୁଲ୍‌ ଶିକ୍ଷାରୁ ୧୬.୬୬% ବଞ୍ଚିତ ଏବଂ ୪.୯୫%ଙ୍କର ସ୍କୁଲ୍‌ ଉପସ୍ଥାନ ନ ଥିବା କଥା ମଧ୍ୟ ସେଥିରୁ ଜଣାପଡ଼ିଛି ।

ଏହା ବ୍ୟତିରେକେ, ରାଜ୍ୟର ୬୫.୩୦% ଜନତା ରନ୍ଧନ ଇନ୍ଧନ, ୩୯.୫୦% ପରିମଳ, ୨୦.୯୭ ପାନୀୟ ଜଳ ୩.୦୦% ବିଜୁଳି, ୫୫.୮୧% ବାସଗୃହ, ୧୯,୨୨% ସମ୍ପତ୍ତିବାଡ଼ି, ୧୦.୯୪% ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଆଦିରୁ ବଞ୍ଚିତ ଅଛନ୍ତି ବୋଲି ‘ନୀତି ଆୟୋଗ ରିପୋର୍ଟ’ରେ ଉଲ୍ଲେଖ ଅଛି । ୨୦୧୫-୧୬ରେ କରାଯାଇଥିବା ୪ର୍ଥ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଧାରିତ ‘ନୀତି ଆୟୋଗ’ର ଏହି ‌ରିପୋର୍ଟରେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କର ପ୍ରଥମ ସ୍ଥାନରେ ରହିଛି ବିହାର । ଦ୍ବିତୀୟ ସ୍ଥାନରେ ଝାଡ଼ଖଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ବିହାରରେ ୫୧.୯୧% ଜନତା ଦାରିଦ୍ର୍ୟ ପ୍ରପୀଡ଼ିତ ଥିବାବେଳେ ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶରେ ଯଥାକ୍ରମେ ୪୨.୧୬% ଏବଂ ୩୭.୭୯% ଜନତା ଦାରିଦ୍ର୍ୟ କବଳିତ ହୋଇଛନ୍ତି ।