୨୩ ବର୍ଷ ପରେ ରାଜ୍ୟରେ ପୁଣି ଥରେ ବର୍ଷାର ସଂକଟ: ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ୨୯% ନିଅଣ୍ଟିଆ ବର୍ଷା

112

କନକ ବ୍ୟୁରୋ : ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୨୩ ବର୍ଷ ପରେ ରାଜ୍ୟରେ ପୁଣିଥରେ ବର୍ଷାର ଏପରି ସଂକଟ ଦେଖାଦେଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୯୨୮.୭ ମିମି ବର୍ଷା ରେକର୍ଡ ହେଉଥିବ‌ା ବେଳେ ଚଳିତଥର ମାତ୍ର ୬୬୧.୧ ମିମି ବର୍ଷା ହୋଇଛି । ୧୯୯୮ ମସିହା ଅଗଷ୍ଟ ଶେଷ ବେଳକୁ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ସେହିବର୍ଷ ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ମାତ୍ର ୬୫୭.୫ ମିମି ବର୍ଷା ହୋଇଥିଲା ।

ଅନ୍ୟପଟେ ଏହାର ୧୧ ବର୍ଷ ପୂର୍ବରୁ ଅର୍ଥାତ ୧୯୮୭ ମସିହାରେ ରାଜ୍ୟରେ ଏହି ସମୟ ମଧ୍ୟରେ ୬୪୧.୪ ମିମି ବର୍ଷା ହୋଇଥିଲା। ତାହା ସ୍ବାଭାବିକଠାରୁ ୩୧% କମ୍‌ ଥିଲା। ମୌସୁମୀ ସକ୍ରିୟ ଯୋଗୁଁ ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥାଏ। ପ୍ରାୟ ସମୟ ଅଗଷ୍ଟରେ ସ୍ବାଭାବିକଠାରୁ ଢେର୍‌ ବର୍ଷା ହୋଇଥାଏ। କିନ୍ତୁ ଚଳିତଥର ଅଗଷ୍ଟରେ ଗୋଟିଏ ବି ଦିନ ‌ମୌସୁମୀ ସକ୍ରିୟ ନଥିବାରୁ ରାଜ୍ୟରେ ‌ଉତ୍କଟ ବର୍ଷାଭାବ ଦେଖିବାକୁ ମିଳିଛି। ଅଗଷ୍ଟର ମୋଟ୍‌ ୩୧ ଦିନରୁ ୨୪ ଦିନ ରାଜ୍ୟରେ ମୌସୁମୀ-ବିରତି ସ୍ଥିତି ଜାରି ରହିଥିବା ବେଳେ ୭ ଦିନ ମୌସୁମୀ ସ୍ବାଭାବିକ ସ୍ଥିତିରେ ରହିଥିଲା। ଏଣୁ ରାଜ୍ୟରେ ବର୍ଷା କମ୍‌ ହୋଇଛି। କେବଳ ଅଗଷ୍ଟରେ ଚଳିତଥର ୪୪% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସ୍ବାଭାବିକ ଭାବେ ଅଗଷ୍ଟରେ ୫ରୁ ୬ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଗତବର୍ଷ ରାଜ୍ୟରେ କେବଳ ଅଗଷ୍ଟରେ ୫ଟି ଲଘୁଚାପ ସୃଷ୍ଟି ହୋଇଥିବା ‌ବେଳେ ପ୍ରତି ଲଘୁଚାପ ପିଛା ୫୫ ମିମିରୁ ୬୦ମିମି ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ବି ସକ୍ରିୟ ରହିଥିଲା। ଫଳରେ ଗତବର୍ଷ ଅଗଷ୍ଟରେ ୪୨%ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ମାତ୍ର ୨ଟି ଲଘୁଚାପ ସୃଷ୍ଟି ହୋଇଥିବା ‌ବେଳେ ଗୋଟିଏ ଲଘୁଚାପ ପିଛା ମାତ୍ର ୨୦ରୁ ୨୫ ମିମି ଯାଏ ବର୍ଷା ହୋଇଛି। ଅନ୍ୟପଟେ ରାଜ୍ୟରେ ଅଗଷ୍ଟରେ ମୌସୁମୀ ଗୋଟିଏ ଦିନ ପାଇଁ ବି ସକ୍ରିୟ ହେଲା ନାହିଁ। ମୌସୁମୀ ଟ୍ରଫ୍‌ ନିଜର ସାଧାରଣ ଅବସ୍ଥାନଠାରୁ ପାଖାପାଖି ୨୪ଦିନ ଉତ୍ତରାଭିମୁଖୀ ରହିଥିବା ବେଳେ ୭ ଦିନ ସ୍ବାଭାବିକ ସ୍ଥାନରେ ରହିଲା। ଫଳରେ ରାଜ୍ୟରେ ମୌସୁମୀ ସକ୍ରିୟ ହେଲା ନାହିଁ ଓ ବର୍ଷା କମ୍‌ ହେଲା।

ସାଧାରଣତଃ ମୌସୁମୀ ଟ୍ରଫ୍‌ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର ଓଡ଼ିଶା ହୋଇ ବଙ୍ଗୋପସାଗରରେ ମିଶିଲେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥାଏ। କିନ୍ତୁ ଅଗଷ୍ଟରେ ମୌସୁମୀ ଟ୍ରଫ୍‌ ବିଲ୍‌କୁଲ୍‌ ଏହି ଅବସ୍ଥାନକୁ ଆସିଲା ନାହିଁ ଓ ବର୍ଷା କମ୍‌ ହେଲା। ଚଳିତ ମୌସୁମୀରେ ନିଅଣ୍ଟିଆ ବର୍ଷା ହେବ ବୋଲି ଅଗଷ୍ଟର ୨୯% ନିଅଣ୍ଟିଆ ବର୍ଷା ଏକପ୍ରକାର ପ୍ରମାଣ କରିସାରିଛି। ସେପ୍ଟେମ୍ବରରେ ବି ବିଶେଷ ବର୍ଷାର ସମ୍ଭାବନା ନାହିଁ। ଯଦି ବି ସେପ୍ଟେମ୍ବରରେ ବର୍ଷା ହୁଏ, ତାହା ଚାଷ ପାଇଁ ଉପାଦେୟ ତ’ ହେବ ନାହିଁ ଓଲଟା ହାନିକାରକ ହେବ। ଚାଷ ପାଇଁ ଜୁଲାଇ ଓ ଅଗଷ୍ଟ ବର୍ଷା ଗୁରୁତ୍ବ ରଖେ ବୋଲି ସେ କହିଛନ୍ତି।