ଲକ୍ଷ୍ମୀ ଯୋଜନାକୁ ବିରୋଧ, ଗଡ଼ିବନି ବସ୍ : ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି; କାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ

313

କନକ ବ୍ୟୁରୋ : କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ କହିଛି, ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବି ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି ।

ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ କହିଛି । ଫଳରେ କାଲି ସକାଳଠୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ସଂଘ ଘୋଷଣା କରିଛି । କାଲିଠୁ ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହେଉଛି । ଏଥିପାଇଁ ଆରମ୍ଭ ହୋଇଯିବ ଗହଳି ଚହଳି । ଆଉ ଏହି ସମୟରେ ଘରୋଇ ବସ ମାଲିକ ସଂଘର ଅଚାନକ ବସ ଧର୍ମଘଟ ଡାକରା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଆଉ ବସ୍ ଚଳାଚଳ ବନ୍ଦ ଯୋଗୁଁ ଲୋକେ ହଇରାଣ ହେବା ଏକପ୍ରକାର ନିଶ୍ଚିତ ହୋଇଛି ।