କନକ ବ୍ୟୁରୋ : ଓଡିଶାରେ ହେବ ଜୁନିୟର ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱକପ୍ ୨୪ ତାରିଖରେ ଆରମ୍ଭ ହେବ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଂଚିଛି । ୧୫ ତାରିଖରେ ଅନ୍ୟଟିମ୍ ଆସିବେ ଭୁବନେଶ୍ୱର । ବାୟୋ ବବଲ ପ୍ରକ୍ରିୟାରେ ହେବ ବିଶ୍ୱକପ । କୋଭିଡ କଟକଣାରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ସାମିଲ ହୋଇପାରିବେନି ଦର୍ଶକ । ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।
ଚଳିତ ବିଶ୍ବକପ୍ରେ ୧୬ଟି ଟିମ୍ ଭାଗ ନେଉଥିବା ବେଳେ ପ୍ରତି ଟିମ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତି ଟିମ୍ ସହ ଗୋଟି ସଶସ୍ତ୍ର ଏସ୍କର୍ଟ ଗାଡ଼ି ଏବଂ ଜଣେ ପିଏସ୍ଓ ରହିବାକୁ ଥିବାବେଳେ ପାକିସ୍ତାନ ଟିମ୍ ପାଇଁ ଦୁଇଟି ସଶସ୍ତ୍ର ଏସ୍କର୍ଟ ଗାଡ଼ି ରହିବ । ଏହାସହ ପାକିସ୍ତାନ ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ବିମାନବନ୍ଦରରୁ ହୋଟେଲ, ହୋଟେଲରୁ ଷ୍ଟାଡିୟମକୁ ନେବା ଆଣିବା କରାଯିବ ବୋଲି ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। କୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୯ଟି ହୋଟେଲରେ ୧୬ଟି ଟିମ୍ ଏବଂ ବିଭିନ୍ନ ଅଫିସିଆଲ୍ ରହିବେ । ନଭେମ୍ବର ୧୫ରୁ ଖେଳାଳିଙ୍କ ଆଗମନ ଆରମ୍ଭ ହେବାକୁ ଥିବାରୁ ବିଭିନ୍ନ ଟିମ୍ର ଆଗମନକୁ ନଜରରେ ରଖି ଡିସେମ୍ବର ୬ପର୍ଯ୍ୟନ୍ତ ରାଜଧାନୀର ପ୍ରାୟ ସବୁ ବଡ଼ ହୋଟେଲକୁ ବୁକିଂ କରାଯାଇଛି । ଏଥର ହୋଟେଲ ଟ୍ରାଇଡେଣ୍ଟରେ ନେଦରଲାଣ୍ଡ ଟିମ୍ ରହିବ। ଏଥିପାଇଁ ୨୬ଟି ରୁମ୍ ବୁକିଂ ହୋଇଛି । ସେହିପରି ଭିଭାନ୍ତରେ ଫ୍ରାନ୍ସ ଟିମ୍ ପାଇଁ ୨୮ଟି ରୁମ୍, ଏଚ୍ଏଚ୍ଆଇରେ ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ୨୪ଟି ଟିମ୍, ମେ’ଫେୟାର ଲାଗୁନରେ ଆର୍ଜେଣ୍ଟିନା ଟିମ୍ ପାଇଁ ୨୭ଟି ରୁମ୍, ୟୁଏସ୍ଏ ଟିମ୍ ପାଇଁ ୨୬ଟି ରୁମ୍, ଚିଲି ଟିମ୍ ପାଇଁ ଲେମନ୍ ଟ୍ରି ହୋଟେଲରେ ୨୬ଟି ରୁମ୍, ଜର୍ମାନି ଟିମ୍ ପାଇଁ ୨୯ଟି ରୁମ୍, ସାଣ୍ଡି ଟାୱାରରେ ସ୍ପେନ୍ ଟିମ୍ ପାଇଁ ୨୫ଟି ରୁମ୍, ବେଲଜିୟମ୍ ଟିମ୍ ପାଇଁ ୨୬ଟି ରୁମ୍, ଭାରତ ଟିମ୍ ପାଇଁ ୨୮ଟି ରୁମ୍, କ୍ରାଉନ୍ରେ ଇଜିପ୍ଟ ଟିମ୍ ପାଇଁ ୨୬ଟି ରୁମ୍, କାନଡା ଟିମ୍ ପାଇଁ ୨୫ଟି ରୁମ୍, ସ୍ବସ୍ତି ପ୍ରିମିୟମ୍ରେ ମାଲେସିଆ ଟିମ୍ ପାଇଁ ୨୮ଟି, ପାକିସ୍ତାନ ଟିମ୍ ପାଇଁ ୨୪ଟି ରୁମ୍, କୋରିଆ ଟିମ୍ ପାଇଁ ୨୩ଟି ରୁମ୍, ନିଲୟ ରେସିଡେନ୍ସିରେ ପୋଲାଣ୍ଡ ଟିମ୍ ପାଇଁ ୨୪ଟି ରୁମ୍ ବୁକିଂ ହୋଇଛି ।
ଟିମ୍ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳିବେ। କିନ୍ତୁ କିଟ୍ ଷ୍ଟାଡିୟମରେ ଅଭ୍ୟାସ କରିବେ। ଶତାଧିକ ଅନ୍ତର୍ଜାତୀୟ ଖେଳାଳି ଓଡ଼ିଶା ଆସିବାକୁ ଥିବାରୁ ଖେଳାଳିଙ୍କ ଯାତାୟତ ରାସ୍ତାକୁ ସୌନ୍ଦର୍ଯ୍ୟୀକରଣ କରାଯିବ। ଏୟାରପୋର୍ଟରୁ ହୋଟେଲକୁ ପଡ଼ିଥିବା ମୁଖ୍ୟ ରାସ୍ତା, କଳିଙ୍ଗ ଷ୍ଟାଡିୟମ ଏବଂ ଅଭ୍ୟାସ ପଡ଼ିଆ ମଧ୍ୟରେ ବିଭିନ୍ନ ସୌନ୍ଦର୍ଯ୍ୟୀକରଣ କାମ କରିବାକୁ କୁହାଯାଇଛି । ଖେଳାଳିମାନେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ପ୍ରତି ୭୨ଘଣ୍ଟାରେ ପ୍ରତ୍ୟେକ ଟିମ୍, ଅଧିକାରୀ ଏବଂ ଆୟୋଜକଙ୍କ ପକ୍ଷରୁ ନିୟୋଜିତ ହୋଇଥିବା କର୍ମଚାରୀଙ୍କର କୋଭିଡ ପରୀକ୍ଷା ହେବ । ମ୍ୟାଚ୍ ଏବଂ ଅଭ୍ୟାସବେଳେ ୨ଟି ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ନିୟୋଜିତ କରାଯିବ। କୌଣସି ଖେଳାଳି ବା ସଦସ୍ୟ କୋଭିଡ ଆକ୍ରାନ୍ତ ହେଲେ ତାଙ୍କ ଚିକିତ୍ସା ପାଇଁ ଦୁଇଟି ହସ୍ପିଟାଲରେ ସ୍ବତନ୍ତ୍ର ଶଯ୍ୟା ଏବଂ ଡାକ୍ତରୀ ଟିମ୍ ବ୍ୟବସ୍ଥା କରାଯାଇଛି । ଅନ୍ତର୍ଜାତୀୟ ଖେଳାଳିଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ, ଆୟୋଜକ ସଦସ୍ୟଙ୍କ ପାଇଁ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ବ୍ୟବସ୍ଥା ହୋଇଛି ।
ସୂଚନାଯୋଗ୍ୟ, ମୋଟ୍ ୪୮ଟି ମ୍ୟାଚ୍ ଖେଳା ହେବାକୁ ଥିବାବେଳେ ନଭେମ୍ବର ୨୪ରୁ ୨୭ ପର୍ଯ୍ୟନ୍ତ ପ୍ରତିଦିନ ୫ଟି ମ୍ୟାଚ୍, ନଭେମ୍ବର ୨୮ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଦୈନିକ ୪ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ଟିମ୍ର ମ୍ୟାଚ୍ଗୁଡ଼ିକ ସଂଧ୍ୟା ୭ଟା ୩୦ରେ ଆରମ୍ଭ ହେବ । ଖେଳାଳି ଓ କର୍ମକର୍ତ୍ତାଙ୍କ ଯାତାୟତ ପାଇଁ ୧୮ଟି ଭଲ୍ଭୋ ବସ୍, ଗୋଟିଏ ୨୪ସିଟ୍ ବିଶିଷ୍ଟ ଟେମ୍ପୋ ଟ୍ରାଭେଲର୍, ୨ଟି ୧୭ସିଟ୍ ବିଶିଷ୍ଟ ଟ୍ରାଭେଲର୍, ୨୦ଟି ଇନୋଭା ନିୟୋଜିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/18-11.jpg)