ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡାନ୍ତ ସଂରକ୍ଷଣ ତାଲିକା । ଜାଣନ୍ତୁ କେଉଁ ବର୍ଗକୁ ମିଳିଲା କେତେ ପ୍ରତିଶତ ସଂରକ୍ଷଣ ।

232

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ସଂରକ୍ଷଣ ତାଲିକା । ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଜନସଂଖ୍ୟା ଆଧାରରେ ପଛୁଆ ବର୍ଗ, ଅନୂସୁଚିତ ଜାତି ଓ ଜନଜାତିଙ୍କୁ ମିଳିଛି ସଂରକ୍ଷଣ । ଡିସେମ୍ବର ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ସେପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ୧୪ ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ ।

୬ ହଜାର ୭୯୪ ପଂଚାୟତ ଏବଂ ୯୧ ହଜାର ୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ । ସେଥିମଧ୍ୟରୁ ୪୯ ହଜାର ୪୬୯ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରହିଛି । ସରପଂଚ ପାଇଁ ୬ ହଜାର ୭୯୪ ପଂଚାୟତ ମଧ୍ୟରୁ ୩୫ ଶହ ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ଓବିସି ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ରଖାଯାଇଛି ।

ସେହିପରି ୬ ହଜାର ୭୯୩ ସମିତି ସଭ୍ୟ ମଧ୍ୟରୁ ୩ ହଜାର ୫୩୮ଟି ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି । ଅନ୍ୟପଟେ ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ସେଥିରୁ ୧୦୪ଟି ଆସନ ଓବିସିଙ୍କ ପାଇଁ ସଂରକ୍ଷିତ ରହିଛି । ୧୪୮ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ୨୧୮ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

ଏବେଠାରୁ ପଂଚାୟତ ନିର୍ବାଚନର ତାତି ଗାଁ ଗାଁରେ ଦେଖିବା ପାଇଁ ମିଳିଲାଣି । ବିଜେଡି, ବିଜେପି ଓ କଂଗ୍ରେସ ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲେଣି । ଆଉ ୨୦୨୪ ନିର୍ବାଚନ ଫାଇନାଲ ପୂର୍ବରୁ ୨୦୨୨ର ପଂଚାୟତ ନିର୍ବାଚନ ସେମି ଫାଇନାଲ ପରି ।

ପଂଚାୟତ ଚୂଡାନ୍ତ ତାଲିକାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଜନସଂଖ୍ୟାକୁ ଆଧାର କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି । ଏସବୁ ଭିତରେ ଜିଲ୍ଲା ପରିଷଦଙ୍କ ପାଇଁ ୫ ଲକ୍ଷ, ସମିତି ସଭ୍ୟ ଏବଂ ସରପଂଚ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷ ଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।