ବୁଷ୍ଟର ଡୋଜ୍ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୭ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ମିଳିବ ତୃତୀୟ ଡୋଜ୍ ।

140

କନକ ବ୍ୟୁରୋ : ୧୮ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ଲୋକ ଟିକାର ଅତିକମରେ ଗୋଟିଏ ଡୋଜ୍ ନେଇସାରିଥିବାରୁ, ପିଲାମାନଙ୍କ ପାଇଁ ଚିନ୍ତା ବଢ଼ୁଥିଲା । ଏତିକିବେଳେ ୧୫ ବର୍ଷରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ କିଛିଟା ଆଶ୍ୱସ୍ତି ମିଳିଛି । ଏବଂ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ସେହିପରି ବୁଷ୍ଟର ଡୋଜ୍ ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

୧୫ ବର୍ଷରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ଟିକା ପାଇଁ ଅପେକ୍ଷା କରିଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୨୫ଲକ୍ଷ ପିଲା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଅପେକ୍ଷା କରିଥିବା ପିଲାମାନଙ୍କୁ କିଭଳି ତୁରନ୍ତ ଟିକା ଦିଆଯିବ ସେଥିପାଇଁ ଅଧିକରୁ ଅଧିକ ସେସନ ସାଇଟର ବ୍ୟବସ୍ଥା କରିବାକୁ ଯୋଜନା କରିଛନ୍ତି । ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଟିମକୁ ପ୍ରସ୍ତୁତ କରି ରଖାଯାଇଛି । ଏଥିସହ ପିଲାମାନେ ସ୍କୁଲ ଓ କଲେଜ ଯାଉଥିବାରୁ ସେଠାରେ ମଧ୍ୟ ଟିକା ଦେବାର ବ୍ୟବସ୍ଥା କରୁଛନ୍ତି ସରକାର ।

ତୃତୀୟ ଡୋଜ୍ ଦେବାକୁ ପ୍ରସ୍ତୁତି ଆରମ୍ଭ । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । କରୋନାର ମୁକାବିଲାରେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ଥିବା ପ୍ରାୟ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ, ସାଢ଼େ ୩ଲକ୍ଷ ସମ୍ମୁଖ ଯୋଦ୍ଧା ଉପକୃତ ହେବେ । ସେମାନଙ୍କୁ କିଭଳି ବୁଷ୍ଟର ଡୋଜ୍ ଦିଆଯିବ ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟରେ ୫୪ ଲକ୍ଷରୁ ଅଧିକ ୬୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ଜଟିଳ ରୋଗରେ ପୀଡିତ ସେମାନଙ୍କୁ ଚିହ୍ନଟ କରି କିଭଳି ବୁଷ୍ଟର ଡୋଜ୍ ଦିଆଯିବ ସେଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ବିଶେଷଜ୍ଞଙ୍କର କହିବା କଥା ୫ ବର୍ଷରୁ ଅଧିକ ବୟସର ପିଲାଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ । ଯେତେବେଳେ କରୋନାର ବିଭିନ୍ନ ଭାରିଆଣ୍ଟ ଚିହ୍ନଟ ହେଉଛି, ଅନେକ ଆକ୍ରାନ୍ତ ହେଉଛନ୍ତି, ସେତେବେଳେ ବିଳମ୍ବ ନକରି ଛୋଟ ପିଲାଙ୍କୁ ଟିକା ଦିଆଯିବା ଆବଶ୍ୟକ ବୋଲି ଏକ ଯୁକ୍ତି ଉଠିଛି । କାରଣ ବିଳମ୍ବ କଲେ ସ୍ଥିତି ଜଟିଳ ହୋଇପାରେ । ତେଣୁ ଛୋଟପିଲାଙ୍କୁ ମଧ୍ୟ ଟିକା ଦିଆଯିବା ଦରକାର ବୋଲି ମତ ପ୍ରକାଶ ପାଇଛି ।