କନକ ବ୍ୟୁରୋ : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଗତକାଲି ସନ୍ଧ୍ୟାରେ ସନ୍ଧାନ ମିଳିଛି । ଆଉ ଆଜି ପ୍ରେସ କନଫରେନ୍ସ ଯୋଗେ ସେ ବଡ ଖୁଲାସା କରିଛନ୍ତି । ପ୍ରେସମିଟ୍ କରି ପୋଲିସ୍ ଉପରେ ବର୍ଷିଛନ୍ତି ପ୍ରଫୁଲ ସାମନ୍ତରା । ପୋଲିସ୍ ଉଠାଇ ନେଇ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି । ଏହାସହ ମୋ ଭଳି ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଜାଣିଶୁଣି ଟାର୍ଗେଟ କରୁଛନ୍ତି । ସ୍ୱାଧିନତା ଉପରେ ଆକ୍ରମଣ ହୋଇଥିବା ମଧ୍ୟ ସେ କହିଛନ୍ତି ।

Advertisment

ପ୍ରଫୁଲ୍ଲଙ୍କ କହିବା ମୁତାବକ, ୧୫ଦିନ ହେବ ଘରୋଇ କମ୍ପାନିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି, ସେମାନଙ୍କ ବିରୋଧରେ ୟୁଏପିଏ ଲଗାଇ ଗିରଫ କରାଯାଉଛି । ସେମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବାକୁ ରାୟଗଡ଼ା ଯାଇଥିଲେ । ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । କିନ୍ତୁ ୩ଟା ୪୦ ମିନିଟ୍‌ରେ ରୁମ୍‌ ବାହାର ପଟୁ କେହି ବନ୍ଦ କରିଦେଇଥିଲେ । ଖୋଲିବା ପାଇଁ ଡାକିବାରୁ, ତିନିଜଣ ଲୋକ ସାଦା ପୋଷାକରେ ଭିତରକୁ ପଶି ଆସିଥିଲେ। ତାଙ୍କ ଫୋନ୍‌ ଛଡ଼ାଇ ଦେବା ସହ ନାଁ ପଚାରିଥିଲେ ।

ନାଁ କହିବା ମାତ୍ରେ କାନ୍ଧରେ ପକାଇଥିବା ଗାମୁଛାରେ ହାତକୁ ବାନ୍ଧିଦେଲେ । ପ୍ରତିବାଦ କରିବାରୁ ମୁହଁକୁ ବାନ୍ଧି ଗୋଟିଏ ଗାଡ଼ିରେ ବସାଇ ଦେଇଥିଲେ। ପ୍ରାୟ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଚାଲିଲା ପରେ ବ୍ରହ୍ମପୁରରେ ଛାଡ଼ି ଦେବେ ବୋଲି ଅଜଣା ବ୍ୟକ୍ତି କହିଥିଲେ। ବ୍ୟାଗ୍‌ କଥା ପଚାରିବାରୁ, ତାହା ଘରେ ପହଞ୍ଚିଯିବ କହି ଅଧାରାସ୍ତାରେ କ୍ଷମା ମାଗିଥିଲେ ।