କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ଚାରିଆଡେ ଭୟ । ଏହାରି ଭିିତରେ ଜାଣନ୍ତୁ, ଟିକାକରଣରେ ଓଡିଶାର ସ୍ଥାନ କେତେ?

104

କନକ ବ୍ୟୁରୋ: କୋଭିଡ ସହିତ ଚାଲିଥିବା ଲଢେଇ ଭିତରେ ଏବେ ସବୁଠାରୁ ବଡ ଚ୍ୟାଲେଂଜ ପାଲଟିଛି ଟିକାକରଣ । ଆଉ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ଟିକା ଦେବାରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏ ପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଚାଲିଛି । ମେ ୧୫ ସୁଦ୍ଧା ୪୬ ଲକ୍ଷ ବୟସ୍କ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଦୈନିକ ଏକଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

୨୦୨୧ ଜାନୁଆରୀ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ଜୁଲାଇ ମାସ ସୁଦ୍ଧା ୩୦ କୋଟି ଲୋକ ଟିକା ନେବେ । କିନ୍ତୁ ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଯଦି ଏହି ତଥ୍ୟକୁ ଦେଖାଯାଏ ତେବେ ଧାର୍ଯ୍ୟ ସଂଖ୍ୟା ଠାରୁ ଆମେ ବହୁତ ପଛରେ ପଡିଯାଇଛେ ।  ବର୍ତମାନର ତଥ୍ୟକୁ ଯଦି ଦେଖାଯାଏ ତେବେ ହାତଗଣତି କିଛି ରାଜ୍ୟ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୦ ପ୍ରତିଶତ କରିପାରିଛନ୍ତି । ସବୁଠୁ ଉପରେ ରହିଛି ରାଜସ୍ଥାନ । ସେଠାରେ ୨୩ ଲକ୍ଷ ୩୦ ହଜାର ଲୋକ ଟିକା ନେଇଥିବା ବେଳେ ଗୁଜୁରାଟରେ ୧୯.୫ ଲକ୍ଷ, ମହାରାଷ୍ଟ୍ରରେ ୧୯.୪ଲକ୍ଷ ଥିବା ବେଳେ ଓଡିଶାରେ ଟିକା ନେଇଛନ୍ତି ୯ଲକ୍ଷ ୧୦ହଜାର ଲୋକ । ହିମାଚଳ ପ୍ରଦେଶରେ ସବୁଠାରୁ କମ ୧ଲକ୍ଷ ୮୦ହଜାର ଲୋକ ଟିକା ନେଇଛନ୍ତି । ଯଦି ଜାରି ରହିଥିବା ପ୍ରକ୍ରିୟାରେ ଟିକାକରଣ ଚାଲେ ତେବେ ନିର୍ଦ୍ଧାରିତ ସମୟରେ ଧାର୍ଯ୍ୟ ସଂଖ୍ୟକ ଟିକାକରଣ କରିବା ହୁଏତ ସମ୍ଭବ ନ ହୋଇପାରେ । ତେଣୁ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଜରୁରୀ ହୋଇପଡିଛି ।