‘ଝିଅ ହତ୍ୟା ମାମଲାକୁ ଅତିରଞ୍ଜିତ କରୁଛନ୍ତି ମିଡିଆ ଓ ରାଜନୈତିକ ଦଳ’ । ହସ୍ତକ୍ଷେପ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ବାପା ।

136

କନକ ବ୍ୟୁରୋ : ହାଇକୋର୍ଟରେ ମମିତା ମେହେରଙ୍କ ପରିବାର ଲୋକଙ୍କ ଆବେଦନ ଆଜି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ମମିତାଙ୍କ ବାପା ଓ ଭାଇ ହାଇକୋର୍ଟରେ ଆବେଦନ କରି କହିଛନ୍ତି, ସେମାନଙ୍କ ପରିବାରର ଗୋପନୀୟତାକୁ ସୁରକ୍ଷା ଦିଆଯାଉ । ମିଡିଆ ଓ ରାଜନୈତିକ ଦଳ ଗୁଡିକ ମମିତାର ଚରିତ୍ର ସଂହାର କରୁଛନ୍ତି ଏବଂ ଏହା ବନ୍ଦ ହେଉ ବୋଲି ସେମାନେ ଆବେଦନରେ ଉଲ୍ଲେଖ କରିଛନ୍ତି । ତୁରନ୍ତ ତଦନ୍ତ ସାରି ଚାର୍ଜସିଟ ଦାଖଲ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଏହି ମାମଲାକୁ ରାଜନୀତିକରଣ କରାଯାଉଛି ବୋଲି ଲେଖିଛନ୍ତି । ତାଙ୍କ ପରିବାରର ଗୋପନୀୟତା, ତାଙ୍କର ଅଧିକାର ବୋଲି ମଧ୍ୟ ଦର୍ଶାଇଛନ୍ତି । ଏଥିସହିତ କେହି ରାୟପୁର ଯାଇନାହାନ୍ତି ବୋଲି ଏହି ଆବେଦନରେ ଲେଖିଛନ୍ତି ।

ମମିତା ହତ୍ୟା ମାମଲାକୁ ନେଇ ବିଭିନ୍ନ ରାଜନୈତିକ ଦଳର ଆନ୍ଦୋଳନ ଏବଂ ଗଣମାଧ୍ୟମରେ ଏହାର ପ୍ରସାରଣ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପରିବାର ସଦସ୍ୟ । ମମିତାଙ୍କ ବାପା ଓ ଭାଇ ହାଇକୋର୍ଟରେ ଯେଉଁ ଆବେଦନ କରିଛନ୍ତି ସେଥିରେ ଦର୍ଶାଇଛନ୍ତି ଯେ, ତଦନ୍ତ ଶେଷ ହୋଇନଥିବାରୁ ମାମଲାକୁ ଅତିରଞ୍ଜିତ କରିବା ପାଇଁ ମିଡିଆ ଓ ରାଜନୈତିକ ଦଳଙ୍କୁ ସୁଯୋଗ ମିଳୁଛି । ଏପରିକି ମୃତ ମମିତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି କୋର୍ଟଙ୍କୁ ଜଣାଇଛନ୍ତି ତାଙ୍କ ବାପା ଓ ଭାଇ । ପରିବାରର ଗୋପନୀୟତା ଅଧିକାରକୁ ରକ୍ଷା କରିବା ପାଇଁ କୋର୍ଟ ହସ୍ତକ୍ଷେପ କରନ୍ତୁ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି ।

କଥା ହେଉଛି ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ବିରୋଧୀ ରାଜନୈତିକ ଦଳଗୁଡିକ ପ୍ରତିଦିନ ରାସ୍ତାକୁ ଓହ୍ଲାଇ ତମ୍ବିତୋଫାନ କରୁଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ପାଇଁ ନିଇତି ସାମ୍ବାଦିକ ସମ୍ମିଳନୀ କରି ଦାବି ଉଠାଉଛନ୍ତି । ଆଉ ମିଡିଆରେ ଏଭଳି ଖବର ପରିବେଷଣ ଦ୍ୱାରା ପରିବାରର ମାନହାନୀ ଓ ସ୍ଥିତିକୁ କେହି ବୁଝୁନାହାନ୍ତି ବୋଲି କୋର୍ଟଙ୍କୁ କହିଛନ୍ତି ମମିତାଙ୍କ ପରିବାର ।

ଆବେଦନରେ ମମିତା ହତ୍ୟା ମାମଲାର ପୁରା ଘଟଣାକ୍ରମ ରହିଛି । ଅକ୍ଟୋବର ୮ ତାରିଖରେ ମମିତା ମହାଲିଙ୍ଗ ଯିବା । ଗୋବିନ୍ଦ ସାହୁ ତାଙ୍କୁ ଅପହରଣ କରିନେବା । ଥାନାରେ ମାମଲା ହେବା ଏବଂ ପୋଲିସ ପରିବାର ଲୋକଙ୍କୁ ଡାକି ସିସିଟିଭି ଫୁଟେଜ ଦେଖାଇବା । ଏପରିକି ତାଙ୍କ ସଂପର୍କୀୟ ମହାଲିଙ୍ଗ ଷ୍ଟାଡିୟମ ଯାଇ ମୃତଦେହ ମିଳିଥିବା ସ୍ଥାନରେ ମମିତାଙ୍କ ବ୍ୟବହୃତ ସାମଗ୍ରୀ ଗୁଡିକୁ ଚିହ୍ନଟ କରିବା ଭଳି କଥା ଗୋଟିଗୋଟି କରି ବର୍ଣ୍ଣନା କରାଯାଇଛି । ହେଲେ ମମିତା ଗୋବିନ୍ଦ ସାହୁ ସହିତ ରାୟପୁର ଯାଇଥିବା ନେଇ ବିଭିନ୍ନ ମିଡିଆ ରିପୋର୍ଟକୁ ଏଥିରେ ଖଣ୍ଡନ କରାଯାଇଛି । ରାୟପୁର କଥା ଉଠାଇବାରୁ ପରିବାର ଲୋକଙ୍କ ସମ୍ମାନହାନୀ ହେଉଥିବା ମମିତାଙ୍କ ବାପା ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ।

ରାୟପୁରସ୍ଥିତ କୁଲହୋମ ଆପାର୍ଟମେଣ୍ଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ମମିତା ମେହେର ଓ ଗୋବିନ୍ଦ ସାହୁଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲା ବୋଲି ବିରୋଧୀ ବାରମ୍ବାର କହିଆସୁଛନ୍ତି । ହେଲେ ମମିତାଙ୍କ ପରିବାର କୋର୍ଟଙ୍କୁ ଜଣାଇଛନ୍ତି ଯେ, ମମିତା କେବେ ବି ରାୟପୁର ଯାଇନଥିଲେ ।

ମମିତାଙ୍କ ବିଷୟରେ ଅତି ଖରାପ କଥା ମିଡିଆରେ ପ୍ରଘଟ ହେଉଛି ବୋଲି ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ମମିତାଙ୍କ ବାପା । ରାଜନୈତିକ ଦଳ ମାନେ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛନ୍ତି । ତେଣୁ ତୁରନ୍ତ ତଦନ୍ତ ସାରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହେଲେ ତାଙ୍କ ଝିଅଙ୍କୁ ନ୍ୟାୟ ମିଳିପାରିବ ବୋଲି କୋର୍ଟଙ୍କୁ କହିଛନ୍ତି ମମିତାଙ୍କ ବାପା ।