ସବୁ ଦଳର ଫୋକସରେ ମହିଳା । ମୁଖ୍ୟମନ୍ତ୍ରୀ କହିଲେ, ପ୍ରତି ମାଆ ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତା । ମାହାଙ୍ଗାରେ ମହିଳା ସମାବେଶ କରି ସରକାରଙ୍କୁ ଟାର୍ଗେଟ କଲା ବିଜେପି ।

88

କନକ ବ୍ୟୁରୋ: ମହିଳା ଦିବସକୁ ହାତଛଡ଼ା କରିନାହାନ୍ତି ରାଜନୈତିକ ଦଳ । କାରଣ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ହୋଇଆସିଛି ମହିଳାଙ୍କ ଭୋଟ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମହିଳା ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିବା ବେଳେ ମାହାଙ୍ଗାରେ ଅନୁଷ୍ଠିତ ବିଜେପି ମହିଳା ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳର ପ୍ରଭାରୀ ପୁରନ୍ଦେଶ୍ୱରୀ । ଏପଟେ ମହିଳା କଂଗ୍ରେସ ପାଳନ କରିଛି କଳାଦିବସ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମାଆ ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତା । ମହିଳା ଆଗେଇଲେ, ଦେଶ ଆଗେଇବ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସମାବେଶରେ ମହିଳା ସ୍ଥାନ ସଂରକ୍ଷଣ ଠାରୁ ଆରମ୍ଭ କରି ମିସନ୍ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ ଘୋଷଣା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ପଦକ୍ଷେପକୁ ବଖାଣିଥିଲେ ଦଳର ବରିଷ୍ଠ ନେତ୍ରୀ ।

ସେପଟେ ରାଜ୍ୟ ବିଜେପି ପକ୍ଷରୁ କଟକ ମାହାଙ୍ଗାରେ ଅନୁଷ୍ଠିତ ମହିଳା ସମାବେଶରେ ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟସ୍ତରୀୟ ନେତୃବୃନ୍ଦ ସାମିଲ ହୋଇଥିଲେ । ନାରୀ ନିର୍ଯାତନା, ଅପରାଧ ଓ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୁରନ୍ଦେଶ୍ୱରୀ । ଏପଟେ ଭୁବନେଶ୍ୱରରେ ରାଲି କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା । ସେହିପରି ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରିଛି ମହିଳା କଂଗ୍ରେସ । ନାରୀ ନିର୍ଯାତନା ବଢ଼ୁଥିବା ଅଭିଯୋଗ କରି ମୁହଁରେ କଳା ପଟି ବାନ୍ଧି ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣାରେ ବସିଥିଲେ ଦଳୀୟ କର୍ମୀ ।

ରାଜ୍ୟରେ ମୋଟ ୩ କୋଟି ୧୮ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ୧ କୋଟି ୫୪ ଲକ୍ଷରୁ ଅଧିକ ହେଉଛନ୍ତି ମହିଳା ଭୋଟର । ବିଗତ ନିର୍ବାଚନଗୁଡିକରେ ମହିଳାର ଭୋଟ ଯେଉଁ ଦଳକୁ ଯାଇଛି, ବିଜୟ ତିଳକ ସେହି ଦଳ ପିନ୍ଧିଛି । ରାଜ୍ୟ ରାଜନୀତିରେ ମହିଳା ଭୋଟ ନିର୍ଣାୟକ ଭୂମିକା ତୁଲାଇ ଆସୁଥିବାର ସବୁ ଦଳର ଫୋକସରେ ରହିଛନ୍ତି ମହିଳା ।