ଆଉ ୫ ବର୍ଷ ପାଇଁ ଛକ ଛକରେ ପଡ଼ିବନି ଅଦିନିଆ ରାଜନୈତିକ ଛିଟା ! ସରିଲା ଯୁଦ୍ଧ, ଖାଁ ଖାଁ ପଡ଼ିଲା ଗାଁ ଗହଳି, ପୁଣି ୫ ବର୍ଷ ପରେ ହେବ ନେତାଙ୍କ ମେଳି ।

ଯେଉଁ ରାସ୍ତାରେ ଦୀର୍ଘ ୫ ବର୍ଷ ଧରି ତାଙ୍କ ପାଦ ପଡ଼ିନଥିଲା ସେହି ରାସ୍ତାରେ ଚାଲି ଚାଲି ଚପଲ ଛିଡ଼ାଇଥିବା ଦେଖିବାକୁ ମିଳିଥିଲା ।

438

କନକ ବ୍ୟୁରୋ: ଦେଢ଼ମାସ ଧରି ରାଜ୍ୟରେ ଚାଲିଥିବା ରାଜନୈତିକ ଝଡ଼ରେ ପଡ଼ିଲା ପୂର୍ଣ୍ଣଛେଦ । ଶେଷ ହେଲା ୧୯ ମହାଯୁଦ୍ଧର ମହାଲଢ଼େଇ । ଆଉ ରାଜନୀତି ରଙ୍ଗମଞ୍ଚରୁ ଅଭିନୟ ସାରି ବାହୁଡିଲେ ବିଭିନ୍ନ ଦଳର ରାଜନେତା । ହେଲେ ଏହାପରେ ସହରଠୁ ଆରମ୍ଭ କରି ଗାଁ ଗହଳିର ଗଳିକନ୍ଦି ଓ ଛକଛକରେ ଗୋଟିଏ କଥା ଶୁଣିବାକୁ ମିଳୁଛି, “ପୁଣି ଦେଖା ମିଳିବ ପାଞ୍ଚ ବର୍ଷ ପରେ । ଖଟିରେ ବସିଥିବା ରାଜନୀତି ପଣ୍ଡିତ ମାନେ ଏଭଳି ଚର୍ଚ୍ଚା ଜୋରସୋର କରୁଥିବା ଶୁଣିବାକୁ ମିଳୁଛି ।

୧୯ ମହାଯୁଦ୍ଧର ତାରିଖ ଘୋଷଣା ଠାରୁ ଆରମ୍ଭ କରି, ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଓ ଶେଷରେ ମତଦାନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆରମ୍ଭ ହୋଇଥିଲା ମହାସଂଗ୍ରାମ । ୧୯ ଯୁଦ୍ଧରେ ବାଜି ମାରିବାକୁ ନିଜ ନିଜର ସିପାହୀଙ୍କୁ ପ୍ରସ୍ତୁତ କରି ମୈଦାନକୁ ଓହ୍ଲାଇଥିଲେ ଦଳର ମୁଖିଆ । ଆଉ ସେମାନେ ମଧ୍ୟ ବିଜୟ ହାସଲ କରିବାକୁ ଦିନରାତି ଏକ କରି ଗୋଟି ଚାଳନା କରିଥିଲେ । କୁହାଯାଏ, ରାଜନୀତିରେ ସବୁ ପ୍ରକାର ଦୃଶ୍ୟ ବା ମସାଲା ଦେଖିବାକୁ ମିଳେ- ଉଦାହରଣ ହେଲା:- ଯେଉଁ ରାସ୍ତାରେ ଦୀର୍ଘ ୫ ବର୍ଷ ଧରି ତାଙ୍କ ପାଦ ପଡ଼ିନଥିଲା ସେହି ରାସ୍ତାରେ ଚାଲି ଚାଲି ଚପଲ ଛିଡ଼ାଇଥିବା ଦେଖିବାକୁ ମିଳିଥିଲା । ଆଉ ଯେଉଁ ଚାଳ ଘର ୫ ବର୍ଷ ଧରି ଅଜଣା ଥିଲା ସେହି ଘରେ ପଖାଳ ଭାତ ଖାଇ ଭୋଟ୍ ପାଇଁ ନେତାମାନେ ଗୋଟି ଚାଳନା କରୁଥିବା ନଜର ଆସିଥିଲେ ।

ଖଟିରେ ଚର୍ଚ୍ଚା ମୁତାବକ, ୫ ବର୍ଷ ପୂର୍ବେ ଯେଉଁ ନେତାମାନଙ୍କ ଦେଖା ଦର୍ଶନ ମିଳିନଥିଲା ସେମାନେ ଆଜି ଖଣ୍ଡିଏ ଭୋଟ୍ ପାଇଁ ହାତ ଯୋଡ଼ି ଗୁହାରି କରୁଛନ୍ତି । ଆଉ ଭୋଟ୍ ସରିଲା ପରେ ଏହି ନେତାମାନେ ପୁଣି ଥରେ ଅଦିନିଆ ବର୍ଷା ପରି କୁଆଡ଼େ ଉଭାନ ହୋଇଯିବେ ତାହାର ପତା ମିଳିବନି । ଆଉ ସବୁଠାରୁ ରୋଚକ ବିଷୟ ହେଲା କି, ଏହି ନେତାମାନେ ୫ ବର୍ଷ ପାଇଁ ଯେଉଁ ପ୍ରତିଶ୍ରୁତିର ପୁଡ଼ିଆ ଦେଇଥିଲେ ତାହା କେବଳ ସେହି ପୁଡ଼ିଆ ଭିତରେ ହିଁ ରହିଯିବ ବୋଲି ଖଟିରେ ଆଲୋଚନା ଚାଲିଛି । ଯେଉଁଥି ପାଇଁ ରାଜନୀତି ଏକ ରଙ୍ଗମଞ୍ଚ ଆଉ ଏଥିରେ ରାଜନେତାମାନେ ବେଶ୍ ଭଲ ଅଭିନୟ କରି ଲୋକଙ୍କୁ ୫ ବର୍ଷ କ୍ଷମତା ପାଇଁ ଆକୃଷ୍ଟ କରିଥାନ୍ତି ବୋଲି କହୁଛନ୍ତି ଜନତା ।

ଗୋଟିଏପଟେ ୧୯ ମହାଯୁଦ୍ଧର ୪ ଅଧ୍ୟାୟ ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ଆସନ୍ତା ୨୩ ତାରିଖର ସାଂଘାତିକ ଝଡ଼ ବିଭିନ୍ନ ଶିବିରରେ ଛନକା ଭରିଛି । ଆଉ ୪ଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀମାନେ ଦେଇଥିବା ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି । କିନ୍ତୁ ସେହି ପରୀକ୍ଷା ଫଳ ପରେ ରାଜନୈତିକ ମହଲରେ ଯେଉଁ ଝଡ଼ ଉଠିବ ତାହା କାହା ଶିବିରରେ ହତାସା ଖେଳାଇବା ତ କାହା ଶିବିରକୁ ହସଖୁସିରେ ଭରିଦେବ ତାହା ଉପରେ ଏବେ ସମସ୍ତଙ୍କ ନଜର । ସେ ଯାହା ହେଉ ଆଉ ପାଞ୍ଚ ବର୍ଷ ପାଇଁ ଏଭଳି ଆପଣଙ୍କ ଘର କାନ୍ଥରେ ପୋଷ୍ଟର ଲାଗିବନି କିମ୍ବା ଗାଁ ଗହଳିରେ ଡ଼ାକବାଜି କି ମା’ ମାଉସୀ ଡ଼ାକ ଶୁଣିବାକୁ ମିଳିବ ନାହିଁ ।