କନକ ବ୍ୟୁରୋ : ନିର୍ବାଚନ ଜିତିବାର ଫମୁର୍ଲା କଣ ? ନେତାଙ୍କ କେଉଁ ଫର୍ମୁଲା ଜନତାକୁ ଆକୃଷ୍ଟ କରିଥାଏ । ହୁଏତ ତେଲେଙ୍ଗାନା ନିର୍ବାଚନ ଫଳାଫଳ ଏବଂ କେସିଆରଙ୍କ ରଣନୀତି ଦେଖିଲେ ଏହା ଆଉ ଅବୁଝା ରହିବ ନାହିଁ । ଜନମଙ୍ଗଳକାରୀ ଯୋଜନାକୁ ପାଥେୟ କରି ଲୋକଙ୍କ ଖୁବ ନିକଟତର ହୋଇଛନ୍ତି କେସିଆର । ସେହିପରି ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଚାଷୀଙ୍କୁ ଋଣ ଛାଡର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି କଂଗ୍ରେସ । ଆଉ ଏଭଳି ସ୍ଥିତିରେ ୨୦୧୯ ପୂର୍ବରୁ ଓଡ଼ିଶାରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଯାଇଛି ବଡ ବଡ ଘୋଷଣା ।
ତାଜା ତାଜା ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳର ଓଡ଼ିଶାରେ କ’ଣ ପଡ଼ିବ ପ୍ରଭାବ ତାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁ ଅଧିକ ଚର୍ଚ୍ଚା ଓଡ଼ିଶା ଏହି ନିର୍ବାଚନରୁ ଶିଖିଲା କ’ଣ? ଜନମଙ୍ଗଳକାରୀ କାର୍ଯ୍ୟକ୍ରମର ଘୋଷଣା ୩ଟି ବିଜେପି ଶାସିତ ରାଜ୍ୟରେ କଂଗ୍ରେସକୁ ବଡ ସଫଳତା ଆଣି ଦେଇଥିବା ବେଳେ ଜନହିତକାରୀ ଯୋଜନା ତେଲେଙ୍ଗାନାରେ କେସିଆରକୁ ଆଣି ଦେଇଛି ବିଶାଳ ବିଜୟ ।
ଓଡ଼ିଶାରେ ନିର୍ବାଚନ ଫଳାଫଳର ପ୍ରଭାବ । ୨୦୧୯ ପୂର୍ବରୁ ଆସିଲା ବଡ଼ ବଡ଼ ଘୋଷଣା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେମିତି ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀ କୃଷି ଋଣ ଛାଡ କରିବା ପାଇଁ ଘୋଷଣା କରିଥିଲେ । ଠିକ୍ ସେହିପରି ୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ କୃଷି ଋଣ ଛାଡ କରିବେ ।
ତେଲେଙ୍ଗାନାରେ କେସିଆର ଯେମିତି ଚାଷୀଙ୍କୁ ଏକର ପିଛା ୪ ହଜାର ଟଙ୍କା, ଝିଅ ବାହା ଘର ପାଇଁ ଆର୍ଥିକ ସହାୟତା ଭଳି ଲୋକପ୍ରିୟ ଯୋଜନା କରି ସଫଳ ହୋଇଛନ୍ତି । ଲୋକପ୍ରିୟତାର ଏହି ଫର୍ମୁଲା ଉଣାଅଧିକେ ଓଡ଼ିଶାରେ ବି ଆପଣାଯାଇଛି । ଆହାର ଯୋଜନାରେ ରାତିରେ ରନ୍ଧା ଖାଦ୍ୟର ଘୋଷଣା ପରେ ଆଜି ବାର୍ଦ୍ଧକ୍ୟ ଭତା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି ନବୀନ ସରକାର । ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତା ଯୋଜନାରେ ସାମିଲ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜନମତକୁ ନିଜ ସପକ୍ଷରେ ରଖିବାକୁ ହେଲେ ଜନହିତକାରୀ ଯୋଜନା ଏବଂ ଘୋଷଣା ହୁଏତ ବେଶ ଗୁରୁତ୍ୱପୂର୍ଣ୍ଣ, ତାହା ନିକଟରେ ଶେଷ ହୋଇଥିବା ୫ରାଜ୍ୟର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଅନୁମାନ କରି ହେଉଛି । ଯାହାର ଏକ ବଡ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳୁଛି ।