ବଡ଼ ଧରଣର ଆନ୍ତଃରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦ୍ଦାଫାଶ : ୩ ଠକଙ୍କୁ ଗିରଫ କଲା ଏସଟିଏଫ; ବିଭିନ୍ନ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ

119

କନକ ବ୍ୟୁରୋ : ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ । ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ ଶେଖ ଜାମିରୁଦ୍ଦିନଙ୍କୁ ଗିରଫ କରିଛି ଏସଟିଏଫ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଅନ୍ୟ କିଛି ରାଜ୍ୟକୁ ଲମ୍ବିଛି ଏହି ଠକେଇର ଚେର । ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଏମାନେ ଠକେଇ କରୁଥିଲେ । ଆଉ ଏହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ୧୦ରୁ ୧୫ ଜଣ ଲୋକଙ୍କ ଦରମା ଦେଇ ରଖିଥିଲେ ।

ବିଶେଷକରି ଗରିବ ଆଦିବାସୀଙ୍କୁ ଏହି ଠକମାନେ ଟାର୍ଗେଟ କରୁଥିଲେ । ସେମାନଙ୍କୁ ୨ ହଜାର ଟଙ୍କା ଦେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଉଥିଲା । ଆକାଉଣ୍ଟ ଖୋଲିବା ସମୟରେ ବ୍ୟାଙ୍କରେ ଦିଆଯାଉଥିଲା ପ୍ରି-ଆକ୍ଟିଭ୍ ସିମ୍ କାର୍ଡ ନମ୍ବର । ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହୁଥିବା ନମ୍ବର ଆକାଉଣ୍ଟଧାରୀଙ୍କ ବଦଳରେ ଠକଙ୍କ ପାଖରେ ରହୁଥିଲା ।

ପରେ ଏହି ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ବିଭିନ୍ନ ସାଇବର ଠକ ଓ ଅପରାଧୀଙ୍କୁ ମୋଟା ଅଙ୍କର ଅର୍ଥରେ ବିକୁଥିଲେ ଏହି ଠକ । ଗୋଟିଏ ଗୋଟିଏ ଆକାଉଣ୍ଟ ବାବଦକୁ ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିଲେ । ବିଭିନ୍ନ ଗ୍ରୁପ୍ ଓ ପେଜ୍ ମାଧ୍ୟମରେ ଆକାଉଣ୍ଟ ବିଷୟରେ ବିଜ୍ଞାପନ ଦେଉଥିଲେ । ଗିରଫ ଠକଙ୍କ ଠାରୁ ସିମ କାର୍ଡ଼, ବ୍ୟାଙ୍କ ପାସବୁକ୍, ମୋବାଇଲ ଫୋନ୍ ଓ ଆଧାରକାର୍ଡ଼ ଜବତ ହୋଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି ।