କନକ ବ୍ୟୁରୋ : ଜଳେଶ୍ୱରରେ ଥମିବାର ନାଁ ନେଉନି ଧଳାଜହର କାରବାର । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇଟି ଅଲଗା ଅଲଗା ଜାଗାରୁ ଚଢଉ କରି ପୋଲିସ ଓ ଅବକାରୀ ବିଭାଗ ପ୍ରାୟ ଅଧକିଲୋ ଅଧିକ ଓଜନର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ପେଟ୍ରୋଲିଂ ବେଳେ ଝାଡେଶ୍ୱରପୁର ରାସ୍ତାରେ ଯାଉଥିବା ଜଣେ ଯୁବକକୁ ସନ୍ଦେହ ଜନକ ଭାବେ ଅଟକାଇଥିଲା ପୋଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ପୋଲିସ ତା ନିକଟରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଯୁବକଙ୍କୁ ଗିରଫ କରିଥିଲା । ଏଥି ସହ ଝାଡେଶ୍ୱରପୁର ଗାଁର ସେକ୍ ଜମାଲୁଦିନ ଓରଫ ସନିଆ ନାମକ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗାର ଗଚ୍ଛିତ ଥିବା ନେଇ ଜଳେଶ୍ୱର ପୋଲିସର ୨୦ ଜଣିଆ ଟିମ୍ ଚଢଉ କରିଥିଲା । ଚଢଉ ବେଳେ ସନିଆ ଘରୁ ଚମ୍ପଟ ମାରିଥିବା ବେଳେ ତାର ୩ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ସନିଆଙ୍କ ଘରୁ କେତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ପୋଲିସ ।