ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ

86

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ ନିବାସୀ ତୁଲସିଦାସଙ୍କ ବୁଲେଟ ତାଙ୍କ ଇଚ୍ଛାପୁରମ ଅଫିସ ନିକଟରୁ ଗତ ମାସ ଚୋରି ହୋଇଥିଲା । ରାତିରେ ନାଇଟ ଡ୍ୟୁଟି କରୁଥିବା ସମୟରେ ଚୋର ତାଙ୍କ ବୁଲେଟର ହ୍ୟାଣ୍ଡେଲ ଲକ ଭାଙ୍ଗି ବୁଲେଟଟିକୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ । ସେ ଏନେଇ ଆନ୍ଧ୍ରପ୍ରଦେଶର ସ୍ଥାନିୟ ଥାନାରେ ଏତଲା ଦେଇଥିଲେ,ହେଲେ ନିଜ ପ୍ରିୟ ବୁଲେଟ ଯେ ମିଳିବ, ସେ ଆଶା ଛାଡି ଦେଇଥିଲେ । କିନ୍ତୁ ଶୁକ୍ରବାର ଯେତେବେଳେ ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ ନିକଟରୁ ତାଙ୍କ ଚୋରି ହୋଇଥିବା ବାଇକ ମିଳିଥିବା ନେଇ ଖବର ପାଇଲେ, ବେଶ୍ ଖୁସି ହୋଇଗଲେ ତୁଲସୀଦାସ । ଆଉ ଏବେ ଆସି ନିଜ ବୁଲେଟ ଫେରିପାଇଛନ୍ତି ।

କେବଳ ତୁଲସୀ ଦାସ ନୁହଁନ୍ତି, ତାଙ୍କ ପରି ଅନେକ ନିଜର ଚୋରି ବାଇକ ଓ ଚୋରି ମୋବାଇଲ ଫେରିପାଇଛନ୍ତିି । ଶନିବାର କମିଶନରେଟ୍ ପୋଲିସ୍ ଚୋରି ହୋଇଥିବା ୮୧ଟି ମୋବାଇଲ ଓ ୨୭ଟି ବାଇକ ଏହାର ମାଲିକଙ୍କୁ ଫେରାଇ ଦେଇଛି ।

ଚୋରି ହୋଇଥିବା ବାଇକ୍ ଓ ମୋବାଇଲକୁ ଠାବ କରିବାକୁ ପୋଲିସ୍ ସ୍ୱତନ୍ତ୍ର ଅଭିଯାନ ଚଳାଇଛି । ଗୋଟିଏ ବର୍ଷ ମଧ୍ୟରେ କମିଶନରେଟ ପୋଲିସ୍ ୮ଶହ ମୋବାଇଲ ଓ ୧୬୭ଟି ବାଇକ୍ ଏହାର ମାଲିକଙ୍କୁ ଫେରାଇ ସାରିଲାଣି ।