୨ ମାସରେ ଅମାନିଆ ଗଣିଲେଣି ୧୪ କୋଟିରୁ ଅଧିକ ଫାଇନ୍ । ସିଜ୍ ହେଲାଣି ୨୯ ହଜାର ଗାଡି । ପ୍ରେସମିଟ୍ କରି ସୂଚନା ଦେଲା ପୋଲିସ ବିଭାଗ ।

239

କନକ ବ୍ୟୁରୋ: ଆଗକୁ ଆମ ରାଜ୍ୟରେ ଗଣପର୍ବ ରଜ ଆସୁଛି ତେଣୁ ଏବେଠୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ନିୟମ ନମାନିଲେ ପୁଣି ସଂକ୍ରମଣ ବଢିପାରେ । ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ନିୟମ ପାଳନ କରନ୍ତୁ, ନଚେତ ପୋଲିସ ପ୍ରଶାସନ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ଆଜି ପୋଲିସ ପ୍ରଶାସନ ପକ୍ଷରୁ ପ୍ରେସମିଟ କରି ଏପରି କହିଛନ୍ତି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠୱା ।

ସେ କହିଛନ୍ତି, ଦ୍ୱିତୀୟ ଲହର ପରଠାରୁ ପୋଲିସ ପ୍ରଶାସନ ନିୟମ ଉଲ୍ଲଘଂନକାରୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରିଛି । ଗତ ଦୁଇ ମାସ ଭିତରେ ପ୍ରାୟ ୪ ଲକ୍ଷ ୭୬ ହଜାର ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କଠାରୁ ପୋଲିସ ପ୍ରାୟ ୧୪ କୋଟି ୫୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ସେହିପରି ଏହି ସମୟ ମଧ୍ୟରେ ୩୫ ଶହଟି ଦୋକାନ ଓ ବଜାର ସିଲ୍ ହୋଇଛି, ୧୩,୦୩୨ ଜଣ ଅମାନିଆ ଗିରଫ ହୋଇଛନ୍ତି । ଖାଲି ସେତିକି ନୁହେଁ, ୨୯୦୦୦ ଗାଡି ସିଜ୍ ହୋଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ନିୟମ ନମାନିଲେ ଅମାନିଆଙ୍କୁ ନିସ୍ତାର ନାହିଁ ବୋଲି କହିଛନ୍ତି । ରାଜ୍ୟ ସରକାର କରୋନାକୁ ରୋକିବାକୁ ଲକଡାଉନ୍ କରିଛନ୍ତି । ତେଣୁ ସମସ୍ତେ ନିୟମ ନମାନିଲେ ସଂକ୍ରମଣ ବଢିବ । ଆଗକୁ ରଜପର୍ବ ଆସୁଛି, ହେଲେ ଅଯଥାରେ ବଜାରରେ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି କଟକ ଡିସିପି ଏବଂ ଭୁବନେଶ୍ୱର ଡିସିପି ମଧ୍ୟ ଟୁଇନ ସିଟି ବାସୀଙ୍କୁ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ।