ପୁଣି ଖୋଲିଲା ଛତ୍ରପୁର କାଉନସିଲରଙ୍କ ହତ୍ୟା ଘଟଣା ଫାଇଲ୍ ! ବିଜେପିର ଦୁଇ ନେତା ଗୋଲକ ଓ ଭୃଗୁଙ୍କୁ ଓଡ଼ିଶା ପୋଲିସର ନୋଟିସ୍ ।
କନକ ବ୍ୟୁରୋ: ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତାଙ୍କୁ ଓଡ଼ିଶା ପୋଲିସର ନୋଟିସ୍ । ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ଗଞ୍ଜାମ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ୍ କରିଛି ଓଡ଼ିଶା ପୋଲିସ୍ । ଆସନ୍ତା ୭ ଏବଂ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡ଼ିଶା ପୋଲିସ ନୋଟିସ୍ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବିଜେଡି ଯୁବ ନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଦୁର୍ବୃତ୍ତମାନେ ସଙ୍ଘବଦ୍ଧ ହୋଇ ୨୦୧୭ ସେପ୍ଟେମ୍ବର ୧୬ରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟେଧନ ରେଡ୍ଡିଙ୍କୁ ଗିରଫ କରିଥିଲା ପୋଲିସ ।
ଏହାପରେ ତଦନ୍ତକୁ ସକ୍ରିୟ କରାଇ ହତ୍ୟାକାଣ୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ଛତ୍ରପୁର ଥାନାରେ ପୂର୍ବରୁ ଗୋଲକ ହାଜର ହୋଇ ଜେରା ମଧ୍ୟ ହୋଇଥିଲେ । ଏବେ ଆଉ ଜଣେ ରାଜ୍ୟ ବିଜେପିର ଟାଣୁଆ ନେତା ଭୃଗୁ ବକ୍ସିପାତ୍ରଙ୍କ ନାଁ ମଧ୍ୟ ଏହି ମାମଲାରେ ଛନ୍ଦି ହୋଇପଡ଼ିଛି । ଗତ କିଛିଦିନ ହେବ ଏହି ମାମଲା ଥମିଯାଇଥିବାବେଳେ ପୁଣି ଏହାର ଖିଅ ବାହାର କରିବ ଓଡ଼ିଶା ପୋଲିସ୍ ।
ସେପଟେ ଆଜି ସନ୍ଧ୍ୟାରେ ବିଜେଡିର ଦୁଇ ନେତାଙ୍କୁ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ନୋଟିସ୍ କରିବା ପରେ ବିଜେପିର ଦୁଇ ନେତାଙ୍କୁ ଓଡ଼ିଶା ପୋଲିସର ନୋଟିସ୍ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଆଗାମି ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଆଇନର ଖଣ୍ଡଯୁଦ୍ଧ । ଗୋଟିଏ ପଟେ ବିଜେଡି ନେତାଙ୍କୁ ଘେରି ସିବିଆଇ ଚିଟଫଣ୍ଡ ଘୋଟାଲାର ଖିଅ ଖୋଲିବାକୁ ଅଣ୍ଟା ଭିଡ଼ିଥିବାବେଳେ ଏପଟେ ଛତ୍ରପୁର କାଉନସିଲର ହତ୍ୟା ଘଟଣାରେ ବିଜେପିର ଦୁଇ ନେତାଙ୍କୁ ଜେରା କରିବାକୁ ବଳ କଷୁଛି ଓଡ଼ିଶା ପୋଲିସ୍ ।