କାହିଁକି ବଦଳୁନି ୮୨ ବର୍ଷ ତଳର ଓଡ଼ିଶା ପୋଲିସ୍ ମାନୁଆଲ ? ୧୮୬୧ ମସିହା ପୋଲିସ ଆକ୍ଟ ଅନୁସାରେ ଚାଲିଛି କାର୍ଯ୍ୟ

156

କନକ ବ୍ୟୁରୋ : ସିଙ୍ଗମ, ଦବଙ୍ଗ୍ ଫିଲ୍ମ ଭଳି ପୁଲିସ ବିଭାଗରେ ଆଧୁନିକ ପୁଲିସ ଅଫିସର ଲୋକେ ଆଶା କରୁଥିବା ବେଳେ ଏବେବି ଓଡ଼ିଶା ପୁଲିସରେ ଚାଲିଛି ୮୨ ବର୍ଷ ତଳର କଲୋନିଆଲ ତଥା ଔପନିବେଶବାଦ ନିୟମ । ଦେଶ ସ୍ୱାଧୀନ ପୂର୍ବରୁ ୧୮୬୧ ମସିହାର ପୁଲିସ ଆକ୍ଟ ଅନୁସାରେ ୧୯୪୦ ମସିହାରେ ପ୍ରସ୍ତୁତ ହୋଇଥିବା ପୁଲିସ ମାନୁଆଲରେ କାର୍ଯ୍ୟ କରାଯାଉଛି । ବର୍ତ୍ତମାନ ପୁଲିସ ବ୍ୟବହାର କରୁଥିବା ଏସୟୁଭି, ସ୍କରପିଓ ଭଳି ବଡ ବଡ କାର ପରିବର୍ତ୍ତେ ଖଚର ତଥା ଛୋଟ ଘୋଡାର ବ୍ୟବାହାର କରିବାକୁ ପୁଲିସ ମାନୁଆଲରେ ରହିଛି ।

ଯାହା ଏବେବି କାର୍ଯ୍ୟକ୍ଷମ ଅଛି । ଏହି ମାନୁଆଲ ଅନୁଯାୟୀ ସବ୍-ଇନଷ୍ପେକ୍ଟରଙ୍କୁ ଏହି ଖଚରରେ ବସି ତଦନ୍ତ କରିବା ପାଇଁ ଯିବାକୁ କୁହାଯାଇଛି । ତଦନ୍ତକାରୀ ଅଫିସର ଏବଂ ଅପରାଧିକ ମାମଲାର ତଦନ୍ତ କରୁଥିବା ଇନସ୍ପେକ୍ଟରମାନଙ୍କୁ ବିଭିନ୍ନ ମାମଲାରେ ତଦନ୍ତପାଇଁ ଯାଉଥିବା ଖର୍ଚ୍ଚ ବାବଦକୁ ମାସିକ ୨୩ ଟଙ୍କା ଦେବାକୁ ମାନୁଆଲରେ ରହିଛି । ଏପରିକି ଏକ ଗାଈ ଯଦି ରେଳ ସମ୍ପତି ଅବା ରେଳ ବିଭାଗ ପରିଧି ମଧ୍ୟକୁ ଅନଧିକାର ପ୍ରବେଶ କରେ ତାକୁ ବାନ୍ଧି ରଖିବାକୁ ଏହି ମାନୁଆଲରେ କୁହାଯାଇଛି ।

ସେହିପରି ସଂକ୍ରାମକ ରୋଗ ହୋଇଥିବା ରୋଗୀଙ୍କୁ ଟ୍ରେନରୁ ବାହାର କରିଦେବା ପାଇଁ ମଧ୍ୟ ଏଥିରେ କୁହାଯାଇଛି । ଏହି ମାନୁଆଲ ଅନୁଯାୟୀ, କୌଣସି ଭୁଲ ପାଇଁ ଅଭିଯୁକ୍ତମାନଙ୍କୁ ଶାରିରୀକ ଦଣ୍ଡ ଦେବାକୁ ନିୟମ ରହିଛି, ଯାହା ଏବେ ମାନବ ଅଧିକାର ନିୟମର ଉଲ୍ଲଙ୍ଘନ କରୁଛି ।

– ଓଡ଼ିଶା ପୁଲିସରେ ଚାଲିଛି ୮୨ ବର୍ଷ ତଳର କଲୋନିଆଲ ତଥା ଔପନିବେଶବାଦ ନିୟମ
– ୧୮୬୧ ମସିହାର ପୁଲିସ ଆକ୍ଟ ଅନୁସାରେ ୧୯୪୦ ମସିହାରେ ପ୍ରସ୍ତୁତ ହୋଇଥିବା ପୁଲିସ ମାନୁଆଲ ଅନୁଯାରେ ହେଉଛି କାର୍ଯ୍ୟ
– ବାଇକ୍, କାର ପରିବର୍ତ୍ତେ ଖଚର ତଥା ଛୋଟ ଘୋଡାର ବ୍ୟବାହାର କରିବାକୁ ରହିଛି ନିୟମ
– ମମଲାର ତଦନ୍ତ ପାଇଁ ତଦନ୍ତକାରୀ ଅଫିସରମାନଙ୍କୁ ଖଚର ପିଠିରେ ବସି ତଦନ୍ତ କରିବାକୁ ଯିବାକୁ ରହିଛି ନିର୍ଦ୍ଦେଶ
– ତଦନ୍ତପାଇଁ ଯାଉଥିବା ତଦନ୍ତକାରୀ ଅଫିସରଙ୍କୁ ଖର୍ଚ୍ଚ ବାବଦକୁ ମାସିକ ୨୩ ଟଙ୍କା ଦେବାକୁ ମାନୁଆଲରେ ରହିଛି ।
– ଗାଈ ଯଦି ରେଳ ସମ୍ପତି ଅବା ରେଳ ବିଭାଗ ପରିଧି ମଧ୍ୟକୁ ଅନଧିକାର ପ୍ରବେଶ କରେ ତାକୁ ବାନ୍ଧି ରଖିବାକୁ ଏଥିରେ ନିୟମ ରହିଛି
– ସଂକ୍ରାମକ ରୋଗ ହୋଇଥିବା ରୋଗୀଙ୍କୁ ଟ୍ରେନରୁ ବାହାର କରିଦେବା ପାଇଁ ମଧ୍ୟ ଏଥିରେ କୁହାଯାଇଛି