ସାବଧାନ ସାଇବର ଠକ: ଠକେଇ ରୋକିବା ପାଇଁ ଅଣ୍ଟା ଭିଡିଛି ଓଡିଶା ପୁଲିସ

119

କନକ ବ୍ୟୁରୋ: ସାଇବର ଲୁଟେରା ସାବଧାନ । ସାଇବରଲୁଟେରାଙ୍କୁ ଧରିବା ସହ ସାଇବର ଠକେଇ ରୋକିବା ଲାଗି ଅଂଟା ଭିଡିଛି ଓଡିଶା ପୁଲିସ । ରାଜ୍ୟରେ ସାଇବର ଅପରାଧ ରୋକିବା ଲାଗି ଓଡିଶା ପୁଲିସ, ବିଭିନ୍ନ ସରାକାରୀ ବିଭାଗ ଓ ୧୫ଟି ବ୍ୟାଙ୍କ କର୍ତୃପକ୍ଷଙ୍କୁ ନେଇ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ ୨୦୨୩ । ଆକ୍ଟୋବର ୧୫ ତାରିଖ ଯାଏଁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବେ ପୁଲିସ । ବିଶେଷ କରି ସମସ୍ତ ସାମାଜିକ ଗଣମାଧ୍ୟମ ଜରିଆରେ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବା । ଅକ୍ଟୋବର ୨ରୁ ୧୪ ତାରିଖ ଯାଏଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, ବ୍ୟାଙ୍କ, ହାଟ ବଜାର ଆଦି ସ୍ଥାନରେ ପୁଲିସ ପକ୍ଷରୁ ଆଇଟି ବା ବ୍ୟାଙ୍କ ଠକେଇ ସମ୍ପର୍କରେ ଅବଗତ କରାଯିବ । ଏହାସହ ଆଶା, ଆଙ୍ଗନଓାଡି ଦିଦି, ଏସଏଚ୍ଜି ମହିଳାଙ୍କ ମାଧ୍ୟରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଯିବ । ସେପଟେ ବ୍ରହ୍ମପୁର ପୋଲିସ ଜିଲ୍ଲରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି ସାଇବର ସୁରକ୍ଷା ଅଭିଯାନ ସପ୍ତାହ । ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ପୋଲିସ ଜିଲ୍ଲାର ସହରାଂଚଳ ଲୋକଙ୍କ ସମେତ ଗ୍ରାମାଂଚଳ ଲୋକଙ୍କ ପାଖରେ ପହଂଚିବ । ଡିଜିଟାଲ ଯୁଗରେ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍୍ୟନ୍ତ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ଓ ଇନଟରନେଟ୍ର ବହୁଳ ବ୍ୟବହାର ହେଉଛି । ଆଉ ଏହାର ସୁଯୋଗ ନେଉଛନ୍ତି ସାଇବର ଠକ । ସଚେତନତା ଅଭାବରୁ ସାଇବର ଠକେଇ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଲୋକଙ୍କୁ ସଚେତନ କରାଇବା ସହ ସ୍ମାର୍ଟ ଫୋନରେ ଇନଟର୍ ନେଟ୍ର ଅନ୍ୟାବଶ୍ୟକ ବ୍ୟବହାରକୁ କିପରି ରୋକିବେ ସେନେଇ କାର୍ଯ୍ୟକ୍ରମ କରାଯିବ ।