ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଓଡିଶା ପୋଲିସ । ‘କରୁଣା’ ଫ୍ରି କିଚେନ୍ ଜରିଆରେ ପରସୁଛନ୍ତି ଖାଦ୍ୟ, ବିପନ୍ନଙ୍କ ସହ ନିଜେ ଖାଇଲେ ଡିଜିଙ୍କ ସମେତ ବଡ ବଡ ପୋଲିସ ଅଫିସର ।

224

କନକ ବ୍ୟୁରୋ : ବାତ୍ୟା ଫୋନି ଚାଲିଯାଇଛି ସତ, କିନ୍ତୁ ଦେଇଯାଇଛି ଅନେକ ଦୁଃଖ । କେଉଁଠି ପିଇବାକୁ ଟିକିଏ ପାଣି ନାହିଁ ତ ଆଉ କିଏ ମୁଠାଏ ଖାଇବାକୁ ପାଉନାହିଁ । ବିଶେଷ କରି ବାତ୍ୟା ପ୍ରଭାବରେ ଛାରଖାର ହୋଇଯାଇଛି ଶ୍ରୀକ୍ଷେତ୍ର ପୁରୀ । ଲୋକମାନଙ୍କ ଘର ଭାଙ୍ଗିଯାଇଥିବା ବେଳେ ଏବଂ ବାତ୍ୟା ଆଶ୍ରୟସ୍ଥଳ ଏବଂ ଜରିପାଲ ତଳେ ସେମାନଙ୍କ ଦିନ କଟୁଛି । ଏଭଳି ପରିସ୍ଥିତିରେ ପୁରୀରେ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛି ଓଡିଶା ପୋଲିସ ।

ପ୍ରତ୍ୟେକଟି ପ୍ରତିକୂଳ ପରିସ୍ଥିତିରେ ପୋଲିସ ବାହିନୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆଉ ଫୋନି ଯେଭଳି ସ୍ଥିତି ଓଡିଶାରେ ସୃଷ୍ଟି କରିଛି, ସେଥିପାଇଁ ବାତ୍ୟା ପୀଡିତଙ୍କ ମୁହଁରେ ଦିମୁଠା ଖାଇବାକୁ ଦେବା ପାଇଁ ଆଗକୁ ଆସିଛି ଓଡିଶା ପୋଲିସ । କରୁଣା ଫ୍ରି କିଚେନ୍ ଜରିଆରେ ଲୋକମାନଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚାଇ ଦେଉଛନ୍ତି ପୋଲିସ ବାହିନୀ । ପ୍ରଥମ ପର୍ଯ୍ୟାୟରେ ଏହା ୭ଦିନ ପାଇଁ ଆରମ୍ଭ କରାଯାଇଥିବା ବେଳେ ଆଗକୁ ସତ୍ୟବାଦୀ, ବ୍ରହ୍ମଗିରି ଏବେ ଅନ୍ୟ କେତେକ ସ୍ଥାନରେ ଏଭଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶ୍ରର୍ମା ।