କରୋନା କାଳରେ କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ । ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଫାଇନ୍ ଆଦାୟ କରିଛି ପୋଲିସ । ପ୍ରେସମିଟରେ ସୂଚନା ଦେଲେ ପୋଲିସ ଡିଜି ।

87

କନକ ବ୍ୟୁରୋ: କରୋନା କାଳରେ ଅମାନିଆଙ୍କୁ ନିସ୍ତାର ଦେଇନି ଓଡିଶା ପୋଲିସ । ଏପ୍ରିଲ ୧ ପରଠାରୁ କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି । ଏ ସମ୍ଭନ୍ଧରେ ପୋଲିସ ମୋଟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଫାଇନ୍ ଆଦାୟ କରିଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଆଜି କରୋନା ସମ୍ଭନ୍ଧରେ ପୋଲିସର ଭୂମିକା ଓ କାର୍ଯ୍ୟଶୈଳୀକୁ ପୋଲିସ ଡିଜି ପ୍ରଂଶସା କରିବା ସହିତ ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ କରୋନା କାଳରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ନିଜର ଅଭିଯାନ ଜାରି ରଖିଛି । ଏହି ସମୟ ଭିତରେ ପ୍ରାୟ ୨୧୮୦ ଦୋକାନ ସିଲ୍ କରାଯିବା ସହିତ ୨୬,୧୪୬ ଗାଡିକୁ ସିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଅନ୍ୟପଟେ କରୋନା କାଳରେ ସାଇବର କ୍ରାଇମ ଦ୍ରୁତ ଗତିରେ ବୃଦ୍ଧିପାଉଛି । ସ୍ଲଟ୍ ବୁକିଂ ଓ ଟିକା ଦେବାକୁ କହି ଲୁଟେରାମାନେ ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ତେଣୁ ଲୋକଙ୍କୁ ଏବେ ସତର୍କ ରହିବା ସହିତ ବିଶ୍ୱାସ ନହେଲେ କୌଣସି ତଥ୍ୟ କାହାକୁ ନଦେବାକୁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି । ସେହିପରି ଲୋକମାନେ ଘରେ ରହି ନିଜର ଅଭିଯୋଗ ପୋଲିସକୁ ଜଣାଇପାରିବେ ବୋଲି ସେ କହିଛନ୍ତି ।