ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣା : ଆଜି ଡିଆରଡିଓ ଯାଇ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଂଚ

ପାକିସ୍ତାନର ସୁନ୍ଦରୀ ଯୁବତୀର ମାୟାଜାଲ ୪ ଅଭିଯୁକ୍ତଙ୍କୁ ସଜାଇଛି ଦେଶଦ୍ରୋହୀ

217

କନକ ବ୍ୟୁରୋ : ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରୀ ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି । ସେଠାରେ କାମ କରୁଥିବା ଠିକା କର୍ମଚାରୀଙ୍କ ଉପରେ ଆଖି ପକାଇଛି ପାକିସ୍ତାନ । ଗିରଫ ହୋଇଥିବା ୪ଜଣ ଠିକା କର୍ମଚାରୀଙ୍କୁ ‘ହନିଟ୍ରାପ’ରେ ପକାଯାଇଥିବାର ପ୍ରମାଣ ମିଳିଛି । ଜଣେ ପାକିସ୍ତାନୀ ଯୁବତୀ ଏମାନଙ୍କ ସହ କଥା ହେଉଥିଲେ, ଏବଂ କଲ ରେକର୍ଡରେ ସେହି ପାକିସ୍ତାନୀ ଝିଅର ଭଏସ ମଧ୍ୟ ରହିଛି । ଜାମିନ ଆବେଦନ ଖାରଜ ହେବା ପରେ ଏହି ଅଭିଯୁକ୍ତମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କିନ୍ତୁ ଏମାନେ କେଉଁ ପ୍ରକାରର ତଥ୍ୟ ଲିକ୍ କରୁଥିଲେ, ଏହା ବଦଳରେ ସେମାନଙ୍କୁ କଣ ମିଳୁଥିଲା, ଏବଂ କେମିତି ଏହି କାରବାର ଚାଲିଥିଲା ଏ ବିଷୟରେ ପୋଲିସ ନିରବ ରହିଛି । ମାମଲାର ତଦନ୍ତ ଦାୟିତ୍ୱ ଏବେ କ୍ରାଇମବ୍ରାଂଚକୁ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ହନିଟ୍ରାପ୍‌ରେ ଫସି ସମ୍ପୃକ୍ତ ୪ ଠିକା କର୍ମଚାରୀ ଭିଡିଓ, ଫୋନ୍‌ କଲ, ସୋସିଆଲ୍‌ ମିଡିଆ, ମେସେଜ୍‌ ମାଧ୍ୟମ‌ରେ ବିଭିନ୍ନ ତଥ୍ୟ ପ୍ରଘଟ କରୁଥିଲେ । ଅଭିଯୁକ୍ତମାନଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ବାହାର ଦେଶର ଶତାଧିକ ବନ୍ଧୁ ରହିଥିବା ବେଳେ ତନ୍ମଧ୍ୟରୁ ପାକିସ୍ତାନର ଜଣେ ମହିଳା ମଧ୍ୟ ଅଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବସନ୍ତ ହିଁ ପ୍ରଥମେ ଉକ୍ତ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ । ଭଏସ୍‌ କଲ ରେକର୍ଡରେ ଉକ୍ତ ମହିଳାଙ୍କ ସ୍ୱର ଓ ବାର୍ତ୍ତାଳାପକୁ ଗୁଇନ୍ଦା ଏଜେନ୍ସି ରେକର୍ଡିଂ କରିଥିବା ଜଣାଯାଇଛି । ଧୀରେ ଧୀରେ ଏହି ମହିଳାଜଣକ ସମସ୍ତ ଅଭିଯୁକ୍ତଙ୍କୁ ପାଲରେ ପକାଇ ସମ୍ପର୍କକୁ ନିବିଡ଼ କରିଥିଲେ ।

ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ତାଙ୍କ ମାୟାବିନୀ ଜାଲର ଶିକାର ହୋଇ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ‌ତାଙ୍କୁ ପ୍ରଦାନ କରିଥିଲେ । ଏପରିକି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟ ସଂପର୍କରେ ତଥ୍ୟ ପାଇବା ଲାଗି ଉକ୍ତ ପା‌କିସ୍ତାନୀ ମହିଳା ଏହି ୪ ଠିକା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିବା ଏବଂ ପରସ୍ପର ସହ ମିଶିବା ପାଇଁ ଅଭିଯୁକ୍ତମାନେ ସଂପୃକ୍ତ ମହିଳାଙ୍କୁ କୋଲକାତା ଆସିବାକୁ କହିଥିବା ସ୍ବୀକାର କରିଛନ୍ତି । ଆଇଏସ୍‌ଡି କଲ୍‌ ମାଧ୍ୟମରେ ଏହି ସବୁ ତଥ୍ୟ ଆଦାନ ପ୍ରଦାନ ଚାଲିଥିବା ବେଳେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏମାନଙ୍କ ମୋବାଇଲ ବାର୍ତ୍ତାଳାପକୁ ଟ୍ରାକିଂ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରିଥିଲା ।