କନକ ବ୍ୟୁରୋ : ଯୁକ୍ତ୨ ଖାତା ମୂଲ୍ୟାୟନ ସ୍ୱଭାବିକ ହୋଇପାରୁନି। ଏବେ ବି ସମସ୍ୟା ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଏକାଧିକ ଜିଲ୍ଲାରେ ସଟ୍ଡାଉନ୍, ଲକ୍ଡାଉନ୍ ଆଦି କରାଯାଉଛି । ଯେଉଁଥିପାଇଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି । ଦିନେ ଦିନେ ଖାତା ଦେଖା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହୁଛି । ଆଉ ଦିନେ ଦିନେ ୫୦ ପ୍ରତିଶତ ମୂଲ୍ୟାୟନକାରୀ ବି ଖାତା ଦେଖାରେ ସାମିଲ ହେଉ ନାହାନ୍ତି । ଦେଢ଼ ମାସ ହେଲା ଖାତା ମୂଲ୍ୟାୟନ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହେଉ ନ ଥିବାରୁ ଏବେ ଛାତ୍ରଛାତ୍ରୀ ଚିନ୍ତାରେ । କେବେ ସରିବ ଖାତା ଦେଖା ? କେବେ ପ୍ରକାଶ ପାଇବ ପରୀକ୍ଷା ଫଳ ? କରୋନା ସମୟରେ ଏଭଳି ଚିନ୍ତାରେ ଦିନ କାଟୁଛନ୍ତି ରାଜ୍ୟର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଖାତା ମୂଲ୍ୟାୟନ ବିଳମ୍ବ ହେଉଥିବା କଥା ସ୍ବୀକାର କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ଯୁକ୍ତ୨ ଖାତା ମୂଲ୍ୟାୟନ ନେଇ ସମସ୍ୟା ରହୁଛି। ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିବୁ । ଠିକ୍ ଭାବେ କିଭଳି ମୂଲ୍ୟାୟନ ହୋଇପାରିବ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ । ଶିକ୍ଷକମାନେ କିଭଳି ବିନା କଟକଣାରେ ମୂଲ୍ୟାୟନରେ ସାମିଲ ହୋଇପାରିବେ ସେ ନେଇ ଆବଶ୍ୟକ ସୁବିଧା କରିବେ। ଖାତା ମୂଲ୍ୟାୟନ ସାମାନ୍ୟ ବିଳମ୍ବ ହେଉଥିବାରୁ ଜୁଲାଇରେ ଫଳ ପ୍ରକାଶ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଆଉ କିଛି ଦିନ ବିଳମ୍ବ ହୋଇପାରେ। ତେବେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ଭବିଷ୍ୟତକୁ ନଜରରେ ରଖି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।