ଯୁକ୍ତ୨ କଲେଜ ପରିବର୍ତ୍ତନ ପାଇଁ ସୁଯୋଗ : ଜାଣନ୍ତୁ କେବେଠୁ କରିପାରିବେ ଆବେଦନ ?

46

କନକ ବ୍ୟୁରୋ : ଯୁକ୍ତ ୨ ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି ହୋଇଛି । ଆସନ୍ତା ୧୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବା ସହ ୧୪ରୁ ୨୧ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍‌ ଲେଟର୍‌ରେ ସବିଶେଷ ତଥ୍ୟ ରହିବ ।

ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍‌ ଲେଟରରେ ଉଲ୍ଲେଖ କରାଯିବ । ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି । ପ୍ରତି ଛାତ୍ରଛାତ୍ରୀଙ୍କ ସହ ଜଣେ ଅଭିଭାବକ ଶିକ୍ଷାନୁଷ୍ଠାନ ଆସିପାରିବେ। ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ। ଦୁଇଟି ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୯ଟାରୁ ଅପରାହ୍‌ଣ ଗୋଟାଏ ଓ ଅପରାହ୍‌ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା କରିବାକୁ କୁହାଯାଇଛି ।

ସେହିପରି ଯୁକ୍ତ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୁହାଯାଇଛି ଯେ www.samsodisha.gov.in ୱେବସାଇଟ୍‌ରେ ଆବେଦନ ଫର୍ମ ଉପଲବ୍ଧ ରହିଛି । କଲେଜ ବଦଳାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ୧୮ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୦ ତାରିଖ ମଧ୍ୟରେ କଲେଜ ସ୍ଥାନାନ୍ତର ପାଇଁ ଯାଞ୍ଚ କରାଯିବ । ୧୧ରୁ ୨୧ ତାରିଖ ମଧ୍ୟରେ ଜିଲାସ୍ତରୀୟ ସାମ୍ସ ନୋଡାଲ କେନ୍ଦ୍ରରେ କାଗଜପତ୍ର ଯାଞ୍ଚ ହେବ । ୨୨ରୁ ୨୮ତାରିଖ ମଧ୍ୟରେ ନିର୍ଦ୍ଦେଶାଳୟ ଦ୍ବାରା ଦରଖାସ୍ତ ଯାଞ୍ଚ କରାଯିବା ପରେ ଅନୁମତି ଦିଆଯିବ । ୨୪ରୁ ୩୦ ମଧ୍ୟରେ ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦ କଲେଜରେ ନାମ ଲେଖାଇ ପାରିବେ । ଅଭିଭାବକଙ୍କ ବଦଳି, ମୃତ୍ୟୁ, ଅବସର କ୍ଷେତ୍ରରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିପାରିବେ । ଏଥିସହ ଛାତ୍ରୀଙ୍କ ବାହାଘର ଓ ଛାତ୍ରଛାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ମଧ୍ୟ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରାଯାଇପାରିବ ।