ଆଜିଠୁ ଯୁକ୍ତ ୨ ପରୀକ୍ଷା । ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩ଲକ୍ଷ୫୦ହଜାର ୮ଶହ ଛାତ୍ରଛାତ୍ରୀ । କପି ରୋକିବା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି

ଏକାସଙ୍ଗରେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ

276

କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୋଟ ୧୧୪୩ଟି ସେଂଟରେ ଏହି ପରୀକ୍ଷା ହେବ । ପ୍ରଥମ ଦିନରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେବେ । ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଓ କପି ରୋକିବା ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ୨୦୨ଟି ହବରେ ପରୀକ୍ଷା ପ୍ରଶ୍ନପତ୍ର ରଖିବାର ବ୍ୟବସ୍ଥା ହୋଇଛି । ହବରୁ ସକାଳ ୯ଟା ୩୦ ମିନିଟରେ ପ୍ରଶ୍ନପତ୍ର ଗୁଡିକ ହବରୁ ପରୀକ୍ଷା କେନ୍ଦ୍ରକୁ ପହଂଚିବ ।

ସେଂଟର ସୁପରିଟେଣ୍ଡେଂଟ୍, ଡେପୁଟୀ ସୁପରିଟେଣ୍ଡେଂଟ୍, ହବ ଅବଜରଭର ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଖୋଲାଯିବ ପ୍ରଶ୍ନ ପତ୍ର । ପରୀକ୍ଷା ହଲକୁ ସିଲ୍ଡ କଭରରେ ୯ଟା ୫୫ ସୁଦ୍ଧା ପହଂଚିବ ଓ ୧୦ଟାରେ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ବିତରଣ କରାଯିବ । ୧୦ଟା ୩୦ ମିନିଟ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ ଭିତରକୁ ଛଡାଯିବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ୪ଟି ଷ୍ଟ୍ରିମର ପରୀକ୍ଷା ଫଳ ଏକାସଙ୍ଗରେ ବାହାରିବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ଡେପୁଟୀ କଂଟ୍ରୋଲର ପ୍ରଶାନ୍ତ ଦାସ ।

ବିଶେଷକରି ପ୍ରଶ୍ନପତ୍ରର ସୁରକ୍ଷା, ବିତରଣ ଏବଂ ଭାଇରାଲ ହେବାରୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ। ସେହିଭଳି ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବ୍ୟବହାର ଉପରେ ରୋକ ଲଗାଯାଇଛି। ରେଜିଷ୍ଟର କରାଯାଇ ଫୋନ ରଖାଯିବ। କୌଣସି ପରିସ୍ଥିତିରେ କେହି ପରୀକ୍ଷା କେନ୍ଦ୍ରକୁ ଫୋନ ନେଇ ଯାଇପାରିବ ନାହିଁ ବୋଲି କୁହାଯାଇଛି। ସେହିଭଳି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ସମୟରେ କଳା ବଲ୍‌ ପେନ୍‌ ବ୍ୟବହାର କରିବେ। ଉତ୍ତରଖାତାରୁ କାଗଜ ଚିରିବେ ନାହିଁ। ଏଥିସହ ଶୌଚାଳୟକୁ ଗଲେ ପ୍ରଶ୍ନ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି।ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ୪ଟି ଷ୍ଟ୍ରିମର ପରୀକ୍ଷା ଫଳ ଏକାସଙ୍ଗରେ ବାହାରିବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ଡେପୁଟୀ କଂଟ୍ରୋଲର ପ୍ରଶାନ୍ତ ଦାସ ।