କନକ ବ୍ୟୁରୋ : ରାଜଧାନୀରୁ ମୁହଁ ଫେରାଉଛନ୍ତି ମେଧାବୀ ଛାତ୍ରଛାତ୍ରୀ । ଯୁକ୍ତ ୩ରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଳା, ବିଜ୍ଞାନରେ ବିଜେବି ଓ ରେଭେନ୍ସା ମହାବିଦ୍ୟାଳୟକୁ ଟପି ଯାଇଛି ଅନ୍ୟାନ୍ୟ କଲେଜ । ବିଜ୍ଞାନରେ ପୁରୀ ଏସସିଏସ୍ କଲେଜର ସର୍ବାଧିକ କଟ୍ ଅଫ୍ ରହିଛି । ସେହିଭଳି କଳାରେ ବାଲେଶ୍ୱରର ଫକିରମାହନ ବିଶ୍ୱବିଦ୍ୟାଳୟ ଓ ବାରିପଦାର ଏମପିସି କଲେଜର ସର୍ବାଧିକ କଟ ଅଫ ରହିଛି ।

Advertisment

ସାମ୍‌ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ବିଏ. ବିଏଡ୍‌ ଓ ବିଏସ୍‌ସି ବିଏଡ୍‌ ପାଠ୍ୟକ୍ରମ ପ୍ରଥମଥର ପାଇଁ ସାମିଲ ହୋଇଥିବାରୁ ଏହି ପାଠ୍ୟକ୍ରମର କଟ୍‌-ଅଫ୍‌-ମାର୍କ ରେକର୍ଡ ସୃଷ୍ଟି କରିଛି । କଳା ବିଭାଗରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ବିଏ ବିଏଡ୍‌ ପାଠ୍ୟକ୍ରମର କଟ୍‌-ଅଫ୍‌-ମାର୍କ ହିଁ ଶୀର୍ଷରେ ରହିଛି । ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ, ବାଲେଶ୍ବରସ୍ଥିତ ଫକୀର‌ମୋହନ ସ୍ବୟଂଶାସିତ କଲେଜ ଓ ପୁରୀ ଏସ୍‌ସିଏସ୍‌ କଲେଜର କଟ୍‌-ଅଫ୍‌-ମାର୍କ କଳା ଓ ବିଜ୍ଞାନ ବିଭାଗର ବିଭିନ୍ନ ବିଷୟରେ ଅଧିକ ରହିଥିବା ଦେଖିବାକୁ ମିଳିଛି ।

ବାଣିଜ୍ୟ ବିଭାଗରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପୂର୍ବବର୍ଷ ପରି ଏଥର ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିଛି । ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟରେ ଦ୍ବିତୀୟରେ ରହିଛି । ସେଲ୍ଫ ଫାଇନନ୍ସିଂ ପାଠ୍ୟକ୍ରମରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ବାୟୋ-ଟେକ୍ନୋ‌ଲୋଜିରେ ୯୦.୪୦% ଓ ସଂସ୍କୃତରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଥିବା ପ୍ରଦୀପ୍ତ ରାୟ ସଂସ୍କୃତ କଲେଜର ସର୍ବଦର୍ଶନ ବିଷୟର କଟ୍‌-ଅଫ୍‌-ମାର୍କ ୬୯.୪୩% ଶୀର୍ଷରେ ରହିଛି ।

୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୧ କଲେଜର ୨ ଲକ୍ଷ ୭୦ ହଜାର ୫୪୭ ସିଟ୍‌ରେ ନାମଲେଖା ପାଇଁ ୨ଲକ୍ଷ ୨୩ ହଜାର ୩୬୪ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । କଳାରେ ୧ ଲକ୍ଷ ୮ ହଜାର ୪୮୩, ଫିଜିକାଲ ସାଇନ୍ସରେ ୨୪ ହଜାର ୩୩୯, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୯୧୯, ବାଣିଜ୍ୟରେ ୧୭ହଜାର ୨୧୭, ସଂସ୍କୃତରେ ୩ ହଜାର ୮୭୦ ଓ ସେଲ୍ଫ ଫାଇନାନ୍ସିଂରେ ୧୩୬୭ଜଣ ଯୋଗ୍ୟବିବେଚିତ ହୋଇଛନ୍ତି ।